ହଟିବ ୨୦୬ଟି ପୁରୁଣା ଆଇନ
ନେତା-କର୍ମଚାରୀ ଦେବେ ସମ୍ପତ୍ତି ତାଲିକା
ଭୁବନେଶ୍ୱର : ଫୋକସ୍ରେ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ । ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ନେଇ ସ୍ଥାନ ସଂରକ୍ଷଣ ରହିବ । ଆଗାମୀ ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ । ଆଜି ଏ ସମ୍ପର୍କିତ ଏକ ସଂକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ରେ ଗୃହୀତ ହୋଇଛି । ଏହି ନିଷ୍ପତ୍ତି ଯୋଗୁ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବ । ଏହି କମିଟିରେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ଙ୍କ ସହ ବରିଷ୍ଠ ବ୍ୟକ୍ତି ସଦସ୍ୟ ରହିବେ । କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବ । କମିଟିର ସୁପାରିସ୍କୁ ଆଗାମୀ ଶିକ୍ଷାବର୍ଷରୁ ଲାଗୁ କରାଯିବ । ଡାକ୍ତରୀ ଏବଂ ଇଞ୍ଜନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସର୍ବଭାରତୀୟସ୍ତରରେ ନିଟ୍ ଏବଂ ଜେଇଇ ପରୀକ୍ଷା ହେଉଛି । ଏହି ଏକକ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହେବା ପରଠୁ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ହ୍ରାସ ପାଇଛି । କାରଣ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ଏସବୁ କାରଣକୁ ଦେଖି ସରକାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି । ନୂଆ ବ୍ୟବସ୍ଥା ଫଳରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଗ୍ରାମାଞ୍ଚଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇିବ । ଏଥିସହିତ ଆଜିର କ୍ୟାବିନେ୍ଟରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଓଡ଼ିଶା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା/ପୁରୁଷ) ସେବା ସଂଶୋଧନ ନିୟମ ୨୦୨୦କୁ ସ୍ୱୀକୃତି ମିଳିଛି । ଏହାଦ୍ୱାରା ଏଣିକି ଠିକାରେ ନିଯୁକ୍ତି ହେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ହେବାର ସୁଯୋଗ ମିଳିବ । ଓଡ଼ିଶା ଆୟୁର୍ବେଦିକ ଔଷଧ ପ୍ରବର୍ତ୍ତନ ସେବା ନିୟମ-୨୦୨୦କୁ ଅନୁମୋଦନ କରାଯାଇଛି । ଏହାଦ୍ୱାରା ଓଡ଼ିଶା ଆୟୁର୍ବେଦ ଔଷଧ ପ୍ରବର୍ତ୍ତନ ସେବା କ୍ୟାଡରରେ ବିଭିନ୍ନ ପଦବୀରେ ନିଯୁକ୍ତି ଓ ସେମାନଙ୍କର ନିୟନ୍ତ୍ରଣ ବ୍ୟବସ୍ଥା ସୂଚାରୁ ରୂପେ କରାଯାଇପାରିବ । ଓଡ଼ିଶା କାରଖାନା ଓ ବାଷ୍ପିତ୍ର (ଫ୍ୟାକ୍ଟ୍ରି ଆଣ୍ଡ ବ୍ରୟଲର୍) ନିରୀକ୍ଷଣ ସେବା ନିୟମ-୧୯୮୪ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହାଦ୍ୱାରା ବିଭାଗର ସହକାରୀ ନିର୍ଦ୍ଦେଶକ ପାହ୍ୟାକୁ ଗ୍ରୁପ୍ ‘ଏ’ରୁ ଗ୍ରୁପ ‘ବି’ କୁ ପଦୋନ୍ନତି ହେବ ଏବଂ ଏହି ପଦବୀ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପୂରଣ କରାଯିବ । ନିର୍ବାଚିତ ଲୋକପ୍ରତିନିଧି ଏବଂ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ ହେବ । ଏଥିପାଇଁ ସରପଞ୍ଚଙ୍କଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ଯାଏ ସମସ୍ତେ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବେ । ସେହିଭଳି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରବେଶ ସ୍ତରଠାରୁ ଆରମ୍ଭକରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ଦେବେ । ସେହିପରି ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ବର୍ଷେବ୍ୟାପୀ ରାଜ୍ୟରେ ପାଳନ ହେବ । ଯାହାକୁ ଆଜି କ୍ୟାବିନେଟ୍ ମଞ୍ଜୁରି ଦେଇଛି । ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧିଜୀ ପ୍ରଥମଥର ପାଇଁ ଓଡ଼ିଶା ଆସି କାଠଯୋଡ଼ି ନଦୀବାଲିରେ ଐତିହାସିକ ସମାବେଶରେ ଯୋଗଦେଇଥିଲେ । ଏହାପରେ ୧୯୪୭ ମଧ୍ୟରେ ସେ ଆଉ ୭ଥର ଓଡ଼ିଶା ଆସିଥିଲେ । ମହାତ୍ମାଙ୍କ ଆଗମନର ୧୦୦ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ୨୦୨୧ ମାର୍ଚ୍ଚ ୨୩ଠାରୁ ଏକବର୍ଷ ଲାଗି ରାଜ୍ୟରେ ଉତ୍ସବ ପାଳନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ସେହିପରି ବରପୁତ୍ରମାନଙ୍କ ଗ୍ରାମକୁ ସ୍ମରଣୀୟ କରିବାକୁ ଆଦର୍ଶ ଗ୍ରାମ ଭାବେ ଗଢ଼ାଯିବ । ବରପୁତ୍ରମାନଙ୍କର ଜନ୍ମଦିନ ଓ ଶ୍ରାଦ୍ଧଦିବସକୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନର ପାଳନ କରିବାକୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି । ବରପୁତ୍ରମାନଙ୍କ ସ୍ମୃତିକୁ ଉତ୍ତରପିଢ଼ି ନିକଟରେ ପରିଚିତ କରାଇବା ଲାଗି ପାଠ୍ୟକ୍ରମରେ ସେମାନଙ୍କ ତ୍ୟାଗ ଓ ଅବଦାନ ବିଷୟରେ ଉଲ୍ଲେଖ ରହିବ । କେବଳ ସେତିକି ନୁହେଁ ସେମାନଙ୍କ ସମ୍ପର୍କରେ ପ୍ରତିଯୋଗିତା ଆୟୋଜନ କରାଯିବ । ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ଏହାଛଡ଼ା ୨୦୬ଟି ପୁରୁଣା ଆଇନକୁ ହଟାଯିବା ପାଇଁ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି ।