ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ

135

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗ୍ରାମପଂଚାୟତ ବଡପଡା ବଜାରରେ ମଦ ଦୋକାନ ଖୋଲାଯିବାକୁ ସରକାର ନିଷ୍ପତି କରି ଲାଇସେନ୍ସ ପ୍ରଦାନ କରିଛନ୍ତି । କିନ୍ତୁ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ବିରୋଧ କାରଣରୁ ମଦଦୋକାନ ଖୋଲାଯାଇ ପାରିନଥିଲା । ତେବେ ଲାଇସେନ୍ସଧାରି ବ୍ୟକ୍ତି ବଡପଡା ବଜାରରେ ମଦ ଦୋକାନ ଖୋଲିନପାରି ବାବର-ମାଳିବସା ରାସ୍ତା କାଠିଆପଡା ଠାରେ ମଦ ଦୋକାନ ଖୋଲିବାକୁ ନେଇ କାଠିଆପଡା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତକାଲି କାଠିଆପଡାର ୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏହାକୁ ବିରୋଧ କରି ମଦ ଦୋକାନ ଆଗରେ ଆନ୍ଦୋଳନ କରିବା ସହିତ ଗଣ ଧାରଣାରେ ବସିଥିଲେ । ଆନ୍ଦୋଳନକାରୀ ମାନେ ଗତ ୭ ତାରିଖ ଦିନ ବଡପଡା ପଂଚାୟତ ସରପଂଚ, ପଟ୍ଟାମୁଣ୍ଡାଇ ତହସିଲଦାର, ପୋଲିସ ଏସଡିପିଓ, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଓ କେନ୍ଦ୍ରାପଡା ଜିଲାପାଳଙ୍କୁ ମଦଦୋକାନ ନଖୋଲିବା ପାଇଁ ଲିଖିତ ଭାବେ ଦାବି କରିଥିଲେ । ଇତି ମଧ୍ୟରେ ଦଶ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ମଦ ଦୋକାନ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ମାତ୍ର ମଦ ଦୋକାନ ଆରମ୍ଭ କରିବା ପାଇଁ ବ୍ୟକ୍ତି ଜଣକ ଏକ ଲୁହା କେବିନରେ ବ୍ୟାନର, ହୋଡିଙ୍ଗ ଲଗାଇ ମଦବିକ୍ରି କରିବାରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏହାକୁ ବିରୋଧ କରି ଆନ୍ଦୋଳନ କରିବା ସହିତ ବାବର-ମାଳିବସା ରାସ୍ତା ଅବରୋଧ କରିଥିଲେ ।

ଆନ୍ଦୋଳନକାରୀ ମହିଳାମାନେ ଦର୍ଶାଇ ଛନ୍ତି ଯେ ,ଯେଉଁ ସ୍ଥାନରେ ମଦଦୋକାନ ଖୋଲା ଯାଉଛି ତାହା ମୁଖ୍ୟ ରାସ୍ତା ଠାରୁ ମାତ୍ର ୨୦ ଫୁଟ ଦୂରରେ ଅବସ୍ଥିତ । ସେତିକି ନୁହେଁ ଏହାର ୨୦୦/୨୫୦ ଫୁଟ ଦୂରରେ ଏହି ଅଂଚଳର ପୂରାତନ ଶିକ୍ଷା ଅନୁଷ୍ଠାନ ଦକ୍ଷିଣେଶ୍ୱର ଉଚ୍ଚବିଦ୍ୟାଳୟ, ଦକ୍ଷିଣେଶ୍ୱର ମହାଦେବ ମନ୍ଦିର, ସମବାୟ ସମିତି ଗୃହ, ପ୍ରେମଲତା ଘରୋଇ ଶିକ୍ଷାନୁଷ୍ଠାନ ଏବଂ ନିକଟରେ ଜନବସତି ରହିଛି । ଏହି ରାସ୍ତା ଦେଇ ଦୈନିକ କଲେଜ ଛାତ୍ରଛାତ୍ରୀ ମାନଙ୍କ ସମେତ ଅନେକ ମହିଳା ମଧ୍ୟ ବିଭିନ୍ନ କାର୍ଯ୍ୟ ନେଇ ଯାତାୟତ କରନ୍ତି । ସରକାରୀ ନିର୍ଦେଶନାମା ଅନୁଯାଇ ଶିକ୍ଷାନୁଷ୍ଠାନ ଠାରୁ ମଦ ଦୋକାନ ୫୦୦ ମିଟର ଦୂରରେ ରହିବ, କିନ୍ତୁ ଶିକ୍ଷାନୁଷ୍ଠାନ ନିକଟରେ ବେଆଇନ ଭାବେ ଏହି ମଦଦୋକାନ ଖୋଲାଯାଉ ଥିବାରୁ ଏହା କୋମଳମତି ଶିଶୁ ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ ଉଜାଡି ଦେବାର ଆଶଙ୍କା ସୃଷ୍ଟି ହୋଇଛି । ଜନବସତି ନିକଟରେ ଏହା ଖୋଲାଯାଉ ଥିବାରୁ ପରିବାର ଗୁଡିକୁ ମଧ୍ୟ ଅଶାନ୍ତି ମଧ୍ୟକୁ ଠେଲି ଦେବାର ଆଶଙ୍କା ଥିବାରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପୂନର୍ବାର ଏହାର ବିରୋଧ କରିଛନ୍ତି । ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଯୋଗଦେଇ ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ବାବର-ମାଳିବସା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀ ଓ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ସେହି ଅଂଚଳର ଏକ ପ୍ରତିନିଧି ଦଳ ସହ ଆସନ୍ତା କାଲି ଆଲୋଚନା ପରେ ନିଷ୍ପତି ହେବବୋଲି ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Leave A Reply

Your email address will not be published.