ବିପଦଶଙ୍କୁଳ ଅବସ୍ଥାରେ ସାକ୍ଷିଗୋପୀନାଥ ମନ୍ଦିର

232

-ମନ୍ଦିର ଉପର ଚର୍ତୁପାଶ୍ୱର୍ ବର ଓ ଅଶ୍ୱତଥ ଗଛରେ ଭର୍ତି
-ପଥର ସନ୍ଧି ଦେଇ କାୟା ବିସ୍ତାର କରୁଛି ଚେର

ସାକ୍ଷିଗୋପାଳ : ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷିଗୋପୀନାଥ ମନ୍ଦିର ସମ୍ପ୍ରତି ବିପଦଶଙ୍କୁଳ ଅବସ୍ଥାରେ । ମନ୍ଦିର ଉପର ଭାଗର ଚର୍ତୁପାଶ୍ୱର୍ରେ ଛୋଟ ବଡ ବରଗଛ ଓ ଅଶ୍ୱତଥ ବୃକ୍ଷରେ ଭର୍ତି ହୋଇଗଲାଣି । ଯାହାକି ମନ୍ଦିରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବହୁ ପୁରାତନ ଏହି ମନ୍ଦିରର ରକ୍ଷଣାବେକ୍ଷଣା କିଭଳି ଢ଼ଙ୍ଗରେ ଚାଲିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଦେବୋତର କମିଶନ ଅଧିନରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଏହାର ମରାମତି ଓ ରକ୍ଷଣାବେକ୍ଷଣା ଦାୟୀତ୍ୱ ନେଇଛି । ତେବେ ଉପଯୁକ୍ତ ତଦାରଖ, ରକ୍ଷଣାବେକ୍ଷଣା ଓ ଆବଶ୍ୟକ ମରାମତି ଅଭାବରୁ ମନ୍ଦିରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି । ସ୍ଥିତି ଏପରି ହେଲାଣି ଯେ, ମନ୍ଦିର ଉପରକୁ ନୀଳଚକ୍ରକୁ ବାନା ବାନ୍ଧିବାକୁ ଯାଉଥିବା ସେବକ ମନ୍ଦିର ଉପରକୁ ଯିବାକୁ ଭୟ କଲେଣି । ବିଶେଷ କରି ମନ୍ଦିର ଉପର ଚର୍ତୁପାଶ୍ୱର୍ରେ ଛୋଟ ବଡ଼ ବରଗଛ ଓ ଅଶ୍ୱତଥ ବୃକ୍ଷରେ ଭର୍ତି ହେବା ସହ ପଥର ଗୁଡିକ ଶିଉଳି ମୟ ହୋଇଯାଇଥିବାରୁ ସେବକ ମାନଙ୍କ ମନରେ ଏପରି ଭୟ ଆସିବା ସ୍ୱାଭାବିକ୍ । ପଥର ସନ୍ଧି ମଧ୍ୟ ଦେଇ ବଢି ଚାଲିଛି ଗଛର ଚେର । ଯାହାକି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି କରୁଛି । ଏହି ଫାଟ କ୍ରମଶଃ ବଢିବାରେ ଲାଗିଛି । ମନ୍ଦିର ବେଢ଼ାର ଉତର ପାଶ୍ୱର୍ରେ ନୀଳଚକ୍ର ଓ ଅଁଳା ବେଢ଼ା ତଳକୁ ଉଠିଥିବା ବରଗଛର ଚେର କ୍ରମଶଃ ମନ୍ଦିର ଉପରୁ ଭୂଇଁ ଆଡକୁ ଲମ୍ବି ଆସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦୂରଦୂରନ୍ତରୁ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ଓ ଅଂଚଳବାସୀ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଅତୀତରେ ମଧ୍ୟ ମନ୍ଦିରର ଅଁଳା ବେଢ଼ା ଓ ଅନ୍ୟାନ୍ୟ ସ୍ଥାନରୁ ପଥର ଖସିବାର ନଜିର ରହିଛି । ବିଶେଷ କରି ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ, ଦେବୋତର କମିଶନ ଓ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଂଚଳର ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ । ବର୍ଷକେ ଥରେ ଅଁଳା ନବମୀ ଓ ରାଧା ପାଦଦର୍ଶନ ସରିଲେ ପ୍ରଶାସନ ମନ୍ଦିର କଥା ମନରୁ ପାସୋରି ଦେଉଥିବା ଅଭିଯୋଗ ହେଉଛି ।

ଅନ୍ୟପକ୍ଷରେ ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣା ନିମନ୍ତେ ଆସୁଥିବା ଅର୍ଥର ସଠିକ୍ ବିନିଯୋଗ କରାଯାଉଛି କି ନାହିଁ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଯଦି ବାସ୍ତବରେ ଏହି ଅର୍ଥର ସଠିକ୍ ଉପଯୋଗ ହେଉଥାନ୍ତା ତେବେ ମନ୍ଦିର ହୁଏତ ଆଜି ଏଭଳି ବିପଦଶଙ୍କୁଳ ସ୍ଥିତିରେ ପହଂଚି ନଥାନ୍ତା । ପ୍ରତି ବର୍ଷ ଅଁଳା ନବମୀ ପୂର୍ବରୁ ମନ୍ଦିର ଉପରୁ ଏସବୁ ଗଛ କଟା ଯାଉଛି । କିନ୍ତୁ, ପର୍ଯ୍ୟାପ୍ତ ମାତ୍ରାରେ କେମିକାଲ୍ ଦେଇ ଏହାର ଚେରକୁ ସମୂଳେ ନଷ୍ଟ କରିବାର ପ୍ରୟାସ କରାଯାଉନାହିଁ । ଯାହାକି ଦାୟୀତ୍ୱରେ ଥିବା ଅଧିକାରୀଙ୍କ ପାଇଁ ଏହା ଏକ ଲେଉଟିଆ ପଟାଳି ସାଜିଛି । ଆବଶ୍ୟକ ମାତ୍ରାରେ କେମିକାଲର ବ୍ୟବହାର କରାଯାଉନଥିବା କାରଣରୁ ଏହି ଚେର ପ୍ରତି ବର୍ଷ ବର୍ଷା ଋତୁରେ ସତେଜ ହୋଇଉଠିବା ସହ ପଥର ସନ୍ଧିରେ ଭିତରକୁ କାୟା ବିସ୍ତାର କରିବାରେ ଲାଗିଛି । ଘଟଣାର ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି । ଏପରିକି ସମ୍ପ୍ରତି ଭୁବନେଶ୍ୱର, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା କ୍ଷେତ୍ରରେ ବିଭାଗ ଯେତିକି ଗୁରୁତ୍ୱ ଦେଉଛି, ତଦନୁଯାୟୀ ସାକ୍ଷୀଗୋପାଳ ମନ୍ଦିର ପ୍ରତି ଆନ୍ତରିକତା ନଥିବା ପରି ମନେ ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଏନେଇ ପ୍ରଥମେ ହିନ୍ଦୁସ୍ଥାନ ସମାଚାର ପକ୍ଷରୁ ଖବର ପରିବେଷଣ ପରେ ତତ୍କାଳୀନ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଥିଲେ ଯେ, ମୁଁ ଆପଣଙ୍କ ସୂତ୍ରରୁ ଏ ବାବଦରେ ଅବଗତ ହେଲି ଏବଂ ଖୁବ୍ ଶୀଘ୍ର ଏହାର ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ । ହେଲେ ସେ ସମୟରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା । ପରେ ପରେ ଆସିଥିବା ଜିଲ୍ଲାପାଳ ମାନେ ମଧ୍ୟ ଏ ଦିଗରେ ସେମିତି କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ତେବେ ବେଳ ଥାଉଁ ଦେବୋତର କମିଶନ, ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ସାକ୍ଷୀଗୋପୀନାଥ ମନ୍ଦିରର ରକ୍ଷଣାବେକ୍ଷଣା ଉପରେ ଦୃଷ୍ଟି ଦେବା ଓ ଏହାର ଉପଯୁକ୍ତ ତଦାରଖ କରିବାକୁ ସ୍ଥାନୀୟ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ଓ ସେବାୟତ ମହଲରେ ଦାବି ହେଉଛି । ଅପରପକ୍ଷେ ଯଦି ରାଜ୍ୟ ପର୍ଯ୍ୟଟନ ବିଭାଗ (ଓଟିଡ଼ିସି) ଏହାକୁ ହାତକୁ ନେବା ସହ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଏହାର ମରାମତି ଓ ରକ୍ଷଣାବେକ୍ଷଣା ଦାୟୀତ୍ୱ ହସ୍ତାନ୍ତର କରନ୍ତା, ତେବେ ସ୍ଥିତିରେ ଦୃତ ସୁଧାର ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.