କନ୍ଧମାଳ : ୧୦ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସରାମୁଳି ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟତା ରିପୋର୍ଟ ଦେବା ନିମନ୍ତେ ଜଣେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଟାଇଟସ ନାୟକଙ୍କୁ ଗିରଫ କରିଥିବା କନ୍ଧମାଳ ଡ଼ିଏସପି ଅରୁଣ ନାୟକଙ୍କ ସୂତ୍ରରୁ ଜଣାପଡିଛି ।
ସୂଚନା ପ୍ରକାରେ, ସରାମୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଡ଼ଗାବାଲି ଗ୍ରାମର ଧର୍ମେନ୍ଦ୍ର ମାଝୀ ଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ଥିବା ବେଳେ ଯୋଗ୍ୟତା ରିପୋର୍ଟ ନିମନ୍ତେ ସରାମୁଳି ପିଇଓ ଟାଇଟସ ଧର୍ମେନ୍ଦ୍ର ମାଝୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଏହାପରେ ଧର୍ମେନ୍ଦ୍ର ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ଆଜି ହିତାଧିକାରୀ ଧର୍ମେନ୍ଦ୍ର ପିଇଓ ଟାଇଟସଙ୍କୁ ଦାରିଙ୍ଗବାଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛପି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରି ପଂଚାୟତ ନିର୍ବାହୀ ଅଧିକାରୀ ଟାଇଟସଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ବାବାଦ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ମାମଲା ନଂ ୧୩/୨୧ ରୁଜୁ କରି ଏହାର ଅଧିକ ତଦନ୍ତ କରାଯାଉଥିବା ଡ଼ିଏସପି ସୂଚନା ଦେଇଛନ୍ତି ।
ଏହି ଚଢ଼ଉରେ କନ୍ଧମାଳ ଡ଼ିଏସପିଙ୍କ ସମେତ ବ୍ରହ୍ମପୁର ଡ଼ିଏସପି ସବିତାଞ୍ଜଳି ନାୟକ, ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକ, କନେଷ୍ଟେବଳ ନାରାୟଣ ସେଠି, ସାନ୍ତନୁ କୁମାର ବେହେରା ପ୍ରମୁଖ ସାମିଲ ଥିଲେ ।