ଗଞ୍ଜାମ: ନିଖୋଜ ଯୁବକଙ୍କ ସନ୍ଧାନ ମିଳିଲା । ଉଦ୍ଧାର କଲେ ସାରଙ୍ଗଡ ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧି । ଗତ ଶନିବାର ରାତିରେ ବାଲିଗୁଡ଼ା ନୂଆସାହିର ସଞ୍ଜୀବ କୁମାର ଲହରିଆ ଘରେ କାହାରିକୁ କିଛି ନ କହି ପଳାଇଯାଇଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବି ସନ୍ଧାନ ମିଳିନଥିଲା ତାଙ୍କର । ପରିବାରର ଲୋକେ ବାଧ୍ୟ ହୋଇ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ ।
ବାଲିଗୁଡ଼ା ଥାନା ପୋଲିସ୍ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ବାଲିଗୁଡ଼ାର ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ନିଜ ଫେସବୁକ୍ ଏକାଉଂଟରେ ନିଖୋଜ ବିଷୟରେ ଲେଖି ଜନ ସାଧାରଣଙ୍କୁ ସୂଚନା ଦେବାପାଇଁ ଅନୁରୋଧ କରିଥିଲେ । ସାମାଜିକ ଗଣମାଧ୍ୟମରେ ନିଖୋଜ ବିଷୟରେ ଜାଣି ସାରଙ୍ଗଡ଼ ବନେଗା ଗ୍ରାମବାସୀ ଖବର ଦେବା ସହିତ ସଞ୍ଜୀବଙ୍କୁ ଜଗି ରହିଥିଲେ ଗଣମାଧ୍ୟମ ପ୍ରତିନିଧି ପ୍ରମୋଦ ଦଣ୍ଡସେନା ଓ ଆଶ୍ୱିନ କୁମାର ପାତ୍ର ଥାନା ଅଧିକାରୀ ଅନିତା କୀଡଙ୍କୁ ଭେଟି ପୋଲିସ୍ ସହାୟତାରେ ସଞ୍ଜୀବଙ୍କୁ ଉଦ୍ଧାର କରିଥିଲେ ।
କନଷ୍ଟେବଳ ଉତ୍ତମ ପ୍ରଧାନ ଓ ଉତ୍ତମ ଦିଗାଲ ମାନସିକ ଭାରସାମ୍ୟ ହରାଇଥିବା ସଞ୍ଜୀବଙ୍କୁ ବୁଝାସୁଝା କରି ଏକ ପାହାଡି ନାଳରୁ ଉଦ୍ଧାର କରିଥିଲେ ଏବଂ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ । ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା ଯୋଗୁଁ ସଞ୍ଜୀବଙ୍କୁ ଜୀବନ୍ତ ଫେରିପାଇ ଥିବା କହିଛନ୍ତି ସଞ୍ଜୀବଙ୍କ ବଡ ଭାଇ ଦିଲ୍ଲୀପ ଲହରୀଆ । ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ରକ୍ଷା ଯୋଗୁଁ ଅତିଶିଘ୍ର ନିଖୋଜଙ୍କ ସନ୍ଧାନ ମିଳିଥିବା ଜଣାପଡିଛି ।