ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ

164

ଚଣ୍ଡୀଗଡ : ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାରରୁ ଉଦ୍ଧ୍ୱର୍ ମାମଲା ସାମ୍ନାକୁ ଆସିଛି । ପଞ୍ଜାବରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି ।

ଏହା ସହିତ ପଞ୍ଜାବର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ୯ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁକୁ ୨ ଘଣ୍ଟା ଲେଖାଏଁ ବଢାଇବାକୁ ଘୋଷଣା କରିଥିଲେ । ଲୁଧିୟାନା, ଜଲନ୍ଧର, ପଟିୟାଲା, ମୋହାଲୀ, ଅମୃତସର, ଗୁରଦାସପୁର, ହୋସିଆରପୁର, କପୁରଥଲା ଏବଂ ରୁପନଗରରେ ରାତି ୧୧ଟା ଠାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁହେବ । ଏହି ସବୁ ଜିଲ୍ଲା ଗୁଡିକରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ପଦକ୍ଷେପ ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି,”ପଞ୍ଜାବରେ କରୋନା ସ୍ଥିତି ଗମ୍ଭୀର ରହିଛି । ଏଥିପାଇଁ ଲୋକମାନଙ୍କୁ ସଚେତନ ହେବାକୁ ପଡିବ । ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବାକୁ ପଡୁଛି । ସୂଚନାଯୋଗ୍ୟ,ଗତ କିଛି ଦିନ ହେଲା ମହାରାଷ୍ଟ୍ର,କେରଳ ଏବଂ ପଞ୍ଜାବରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ହଜାର ୭୨୬ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମ।ନ ସୁଦ୍ଧା ମୋଟ ଏକ ଲକ୍ଷ ୫୯ ହଜାର ୩୭୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିଭଳି ଦେଶଭର ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୬୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.