ଭୁବନେଶ୍ୱର: ସବୁ ଆଶଙ୍କା ଓ ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଦୀର୍ଘ ୯ମାସ ସ୍କୁଲ ବନ୍ଦ ରହିବା ପରେ ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ଏଥିାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଜାନୁଆରୀ ୮ରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀ ପିଲାମାନଙ୍କ ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ଏପ୍ରିଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏପ୍ରିଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନି ଓ ରବିବାରକୁ ମିଶାଇ ୧୦୦ଦିନ ପାଠପଢ଼ା ହେବ । ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ । ଏଥିସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁାଳନ ବାଧ୍ୟତାମୂଳକ ହେବ । ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ୍ ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା ।
ମଇ ୩ରୁ ମ୍ୟାଟ୍ରିକ୍ ୧୫ରୁ ଯୁକ୍ତ ୨ ପରୀକ୍ଷା
ସ୍କୁଲ ପାଇଁ ଗାଇଡିଲାଇନ୍
କ୍ଲାସରୁମରେ ସର୍ବାଧିକ ୨୦ରୁ ୨୫ ପିଲା ରହିାରିବେ ।
ଦରକାର ଅଭିଭାବକଙ୍କ ଲିଖିତ ଅନୁମତି ପତ୍ର ।
ସ୍କୁଲ ଖୋଲିବା ପରେ ବି ଜାରି ରହିବ ଅନଲାଇନ୍ କ୍ଲାସ୍ ।
କଣ୍ଟେନମେଣ୍ଟ ଜୋନରେ ସ୍କୁଲ ବନ୍ଦ ।
ଆସବାବପତ୍ର ଓ ଲାଇବ୍ରେରୀ ସାନିଟାଇଜ୍ ହେବ ।
କେଉଁ ସମୟରେ ପାଠପଢ଼ା ହେବ ନିଷ୍ପତ୍ତି ନେବେ ଜିଲ୍ଲାପାଳ ।
ସମ୍ପୂର୍ଣ୍ଣ ସ୍କୁଲକୁ ବାରମ୍ବାର ସାନିଟାଇଜ୍ କରାଯିବ ।
ପିଇବା ପାଣି ବ୍ୟବସ୍ଥା ଓ ଶୌଚାଳୟ ନଥିଲେ ଖୋଲିବନି ସ୍କୁଲ ।
ସ୍କୁଲର ହଷ୍ଟେଲଗୁଡ଼ିକ ବନ୍ଦ ରହିବ ।
ସ୍କୁଲ ବସ୍ରେ ୫୦ ପ୍ରତିଶତ ସିଟ୍ରେ ଯାତ୍ରା କରିବେ ପିଲା ।
ସବୁ ସ୍କୁଲରେ ରହିବ ଆଇସୋଲେସନ୍ ରୁମ୍ ।
ସ୍କୁଲ ପରିସରର ୧୦୦ମି. ଭିତରେ ରହିବନି ଖାଦ୍ୟ ଦୋକାନ ।
ପିଲା ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।