ଗଞ୍ଜାମ : ଗତ କିଛିଦିନ ମଧ୍ୟରେ ଜିଲ୍ଲାର ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟକରି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍ ଡାଉନ୍ ସପକ୍ଷରେ ସୋସିଆଲ୍ ମିଡିଆରେ ନିଜନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟୀକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ବତଃପ୍ରବୃତ ଭାବେ ନିଷ୍ପତି ଗ୍ରହଣ କରିଛନ୍ତି । ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ସଂକ୍ରମଣକୁ ନେଇ ଜନ ସାଧାରଣ ମାନଙ୍କର ଏହି ଉପଲବ୍ଧିକୁ ଆଧାର କରି ସେମାନେ ସଜାଗ ଓ ସଚେତନ ରହିବା ଜରୁରୀ ହୋଇପଡିଛି । ନିହାତି ଆବଶ୍ୟକ ନ ପଡିଲେ ଘରୁ ବାହାରି ବାକୁ ବାରଣ କରାଯାଇଛି । ମାସ୍କ ପରିଧାନ, ପଞ୍ଚସୂତ୍ରୀ ନିୟମର କଡ଼ାକଡ଼ି ପାଳନ ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଜିଲ୍ଲାପାଳ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ କରୋନା ପରିଚାଳନା ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ନାହିଁ । କରୋନା ପରିଚାଳନାରେ ଯନ୍ତ୍ରୀଗଣ ନିୟୋଜିତ ହୋଇ ନାହାନ୍ତି । ତେଣୁ ସମସ୍ତ ଉନ୍ନୟନ କାର୍ଯ୍ୟ ପୂର୍ବଭଳି ଚାଲୁ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଗତ କାଲି ସୁଦ୍ଧା ଜିଲ୍ଲାକୁ ୧୭,୭୭୧ ଜଣ ପ୍ରବାସୀ ଫେରିଥିବା ପଞ୍ଜିକରଣ ତଥ୍ୟରୁ ଜଣାପଡିଛି । ଯାହାକି ଗତବର୍ଷ ତୁଳନାରେ ବହୁତ କମ୍ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଅବଗତ କରାଇଥିଲେ । ଏଣୁ କରି ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପଞ୍ଜିକରଣ, ସ୍ବାସ୍ଥ୍ୟ ଯାଂଚ୍,ଏକାନ୍ତବାସରେ ରହି ଚିକିତ୍ସା ଇତ୍ୟାଦି ଠିକ ରୂପେ ହୋଇପାରିଲେ ଖୁବ୍ ଶୀଘ୍ର ଜିଲ୍ଲାରୁ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବ ।
ସମସ୍ତ କୋଭିଡ୍ କେୟାର ସେଣ୍ଟର ଶଯ୍ୟାରେ ଅକ୍ସିଜେନ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ । ସମସ୍ତ ଚିକିତ୍ସାଳୟ ଏବଂ କୋଭିଡ୍ କେୟାର୍ ସେଣ୍ଟର ଗୁଡିକରେ ବିଦ୍ୟୁତ୍ ସରବରାହ ଯେପରି ବନ୍ଦ ହେବ ନାହିଁ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗତ ପ୍ରଥମ ଲହର ଚିକିତ୍ସା ସମୟରେ ଅଧିକାଂଶ ସଂକ୍ରମିତ ବ୍ୟକ୍ତି କେବଳ ଔଷଧ ଦ୍ବାରା ସୁସ୍ଥ ହୋଇପାରିଥିଲେ । କିନ୍ତୁ, ଏହି ଦ୍ବିତୀୟ ଲହର ଚିକିତ୍ସାରେ ଅକ୍ସିଜେନର ଆବଶ୍ୟକତା ଅଧିକ ରହୁଛି । ଏଣୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ହିଁ ଏହି ଦିଗରେ ସହାୟକ ହୋଇପାରିବ । ସମସ୍ତ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ଆବଶ୍ୟକୀୟ ଷ୍ଟାଫ୍ ମୁତୟନ କରାଯାଇ ଦାୟୀତ୍ବ ପ୍ରଦାନ କରାଯାଇଛି । ଏଣୁ ଏହାର ସୁପରିଚାଳନା ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟକରି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବାହନ ସେବାକୁ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ଜିଲ୍ଲାପାଳ ଏକ ଆଦେଶନାମାରେ ଦର୍ଶାଇଛନ୍ତି । ଯାନବାହନ ପଞ୍ଜିକରଣ, ମୋଟରଯାନ ଟ୍ୟାକ୍ସ ଆଦାୟ, ସାମୁହିକଭାବେ ଗାଡିକୁ ବ୍ୟବହାର ନ କରିବା ନିମନ୍ତେ ଆବେଦନ, (ଅଫ୍ ରୋଡ୍) ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସେଥିରେ ଜନ ସାଧାରଣ ସହଯୋଗ କରିବାକୁ କୁହାଯାଇଛି ।
ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ , ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଏମ୍. କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।