ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ ଏସପିଙ୍କ କାର୍ଯ୍ୟାନୁଷ୍ଠାନ : କୃଷ୍ଣପ୍ରସାଦ ଥାନା ଏଏସଆଇ ଗିରଫ : ପୁରୀ ସଦର ଥାନା ଏସଆଇଙ୍କୁ ନିଲମ୍ବନ

140

ପୁରୀ: ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କନୱର ବିଶାଲ ସିଂହ । ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଏବଂ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା କାରଣରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁରୀ କୃଷ୍ଣପ୍ରସାଦ ଥାନା ଏଏସଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦର ଥାନା ଏସଆଇଙ୍କୁ ନିଲମ୍ବନ କରାଯାଇଛି ।

ଲାଂଚ ନେବା ଅଭିଯୋଗରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଏଏସଆଇ ଇଶ୍ୱର ଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି । ସେ ଜଣେ ଫୁଡ ଭେଣ୍ଡରଙ୍କ ନିକଟରୁ ୭ ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ଏସଡ଼ିପିଓ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ ଏସପି ଶ୍ରୀ ସିଂହ ସୂଚନା ଦେଇଛନ୍ତି ।
ଅନୁରୂପ ଘଟଣା କ୍ରମେ ଆଜି ପୁରୀ ସଦର ଥାନା ଏସଆଇ ଅତସୀ ଜେନାଙ୍କୁ ନିଲମ୍ବନ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

ଗତ ସେପ୍ଟେମ୍ବର ମାସରେ ଏସଆଇ ଅତସୀ ଜେନା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ । ତେବେ ଚଢ଼ଉ ନେଇ ସେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିଲେ । ସମ୍ପୃକ୍ତ ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ଜବତ ଟଙ୍କା କୁଆଡେ ଗଲା ସେନେଇ ମଧ୍ୟ ସେ କୌଣସି ସୂଚନା ଦେଇନଥିବାରୁ ତାଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅପରାଧକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ । ସେ ପୋଲିସ ହୁଅନ୍ତୁ କିମ୍ବା ଅପରାଧି । ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ସିଂହ କହିଛନ୍ତି ।

Leave A Reply

Your email address will not be published.