ନବରଙ୍ଗପୁର : ଆଗରୁ ଅନେକ ନଜିର ରହିଛି ଯେ, ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ ତାହାର ପରବର୍ତ୍ତୀ ସମୟରେ ଦାଦନ ଓ ବାଲ୍ୟବିବାହ ଭଳି ଘଟଣା ମାନ ଅଧିକ ମାତ୍ରାରେ ଦେଖିବାକୁ ମିଳେ । ସେହି କରୋନା ମହାମାରୀ ସମୟରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ମା ବାପାଙ୍କୁ ହରାଇ ଶିଶୁମାନେ ଅନାଥ ହେବା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଘଟଣା ଗୁଡିକ ଅତିମାତ୍ରାରେ ବଢିବା ପ୍ରଶାସନର ନଜରକୁ ଆସିଛି । ତେବେ ଜିଲ୍ଲାରେ ଥିବା ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ଏବଂ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଡଃ ଅଜିତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସର ବୈଠକ ଭରଚୁଆଲ ମାଧ୍ୟମରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ସହିତ ଅଙ୍ଗନୱାଡି ଓ ଗ୍ରାମ ପଞ୍ଚାୟତ ସ୍ତରରେ ବିବାହ ପଞ୍ଜୀକରଣ ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ଜିଲ୍ଲାର ସମସ୍ତ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ଗୁଡିକରେ ଶିଶୁ ସୁରକ୍ଷା କମିଟି ଓ ବାଲ୍ୟ ବିବାହ ଟାସ୍କଫୋର୍ସ ଗଠନ ହୋଇଥିବାର ସୂଚନା ଦେଇଥିଲେ । ପରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମେହେରେ ନିଶା ବେଗମ ଚଳିତ ବର୍ଷରେ ଜିଲ୍ଲାରେ ମୋଟ ୧୧୪ ଗୋଟି ବାଲ୍ୟ ବିବାହକୁ ବନ୍ଦ କରାଯାଇ ଥିବାର ପଦକ୍ଷେପ ଉପରେ ମତବ୍ୟକ୍ତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ସଂସ୍ଥାର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟେରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ଉପଜିଲ୍ଲାପାଳ ଭାସ୍କର ରୋହିତ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୈଇ ପାଇ, ଡ଼ିଆ ଇ ପି ଆର ଓ ହଲଧର ନିଆଲ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲାର ସମସ୍ତ ବିଡିଓ ଓ ସିଡିପିଓ ତଥା ବାଲ୍ୟ ବିବାହ ଅଧିକାରୀ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।