କେନ୍ଦ୍ର ଓ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଯଦି ନୋଟାକୁ ଅଧିକ ଭୋଟ୍ ମିଳୁଛି, ତେବେ କ’ଣ ପାଇଁ ପୁନର୍ବାର ନିର୍ବାଚନ ହେବନି
ନୂଆଦିଲ୍ଲୀ: ଯଦି କୌଣସି ନିର୍ବାଚନରେ ନୋଟାକୁ ଅଧିକ ଭୋଟ୍ ମିଳୁଛି ତେବେ କ’ଣ ପାଇଁ ପୁନର୍ବାର ନିର୍ବାଚନ କରାଯିବ ନାହିଁ ? ଏଜ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଆଡଭୋକେଟ୍ ଅଶ୍ୱିନ ଉପାଧ୍ୟାୟଙ୍କ ପକ୍ଷରୁ ଏହି ସମ୍ବନ୍ଧରେଆବେଦନ ଦାଖଲ କରାଯାଇଥିଲା । ଆବେଦନରେ ନୋଟାକୁ ଅଧିକ ଭୋଟ୍ ମିଳିଲେ ଉକ୍ତ ଆସନରେ ପୁନର୍ବାର ନିର୍ବାଚନ କରାଇବାକୁ ଦାବି ହୋଇଥିଲା ।
ଆବେଦନ ଉପରେ ସୋମବାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କଠୁ ଜବାବ ଲୋଡିଛନ୍ତି । ଦୁଇପକ୍ଷ ଆଗାମୀ ଚାରି ସପ୍ତାହ ଭିତରେ ନିଜର ଉତ୍ତର ରଖିବାକୁ ଅଦାଲତ କହିଛନ୍ତି । ଉପାଧ୍ୟାୟଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବରିଷ୍ଠ ଆଡଭୋକେଟ୍ ମେନକା ଗୁରୁସ୍ୱାମୀ କହିଛନ୍ତି, ନୋଟାର ଅର୍ଥ ଭୋଟରଙ୍କ ପକ୍ଷରୁ ପ୍ରାର୍ଥୀଙ୍କୁ ନାକଚ କରିବାର ଅଧିକାର ରହିଥାଏ । ଏମିତିରେ ଯଦି ନୋଟାକୁ କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ଅଧିକ ଭୋଟ୍ ମିଳୁଛି, ତେବେ ଉକ୍ତ ଆସନରେ ପୁନର୍ବାର ନିର୍ବାଚନ କରାଇବା ଉଚିତ୍ ।
ପ୍ରଧାନ ବିଚାରପତି ଏସ.ଏ.ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆବେଦନର ଶୁଣାଣି କରି ଗୁରୁସ୍ୱାମୀଙ୍କୁ ପ୍ରଶ୍ନ କରିଛନ୍ତି ଯେ,ଯଦି କୌଣସି ରାଜନୈତିକ ଦଳର ପ୍ରଭାବ ମତଦାତାଙ୍କ ଉପରେ ବହୁତ ଭଲ ରହିଛି ଏବଂ ତାଙ୍କ ପ୍ରାର୍ଥୀଙ୍କୁ ନୋଟା ଆଧାରରେ ନାକଚ କରି ଦିଆଯାଏ, ତେବେ ସଂସଦ ତ ·ଲିପାରିବ ନାହିଁ । ଅନେକ ପ୍ରାର୍ଥୀଙ୍କୁ ଏମିତି ନାକଚ କରାଗଲେ ତେବେ ନିର୍ବାଚନୀ କ୍ଷେତ୍ର ଖାଲି ରହିଯିବ ।
ପୁଣି ଆପଣ କେମିତି ସଂସଦ ଚଳାଇବେ ? ଏହା ଉପରେ ଆଡଭୋକେଟ୍ ମେନକା କହିଛନ୍ତି, ଏହି ସମ୍ବନ୍ଧରେ ନିର୍ବାଚନ ଆୟୋଗ ତରଫରୁ କୁହାଯାଇଛି ଯେ, ଯଦି କେଉଁଠି ନୋଟାକୁ ଅଧିକ ଭୋଟ୍ ମିଳୁଛି, ତେବେ ଉକ୍ତ ଅଞ୍ଚଳରେ ପୁନର୍ବାର ନିର୍ବାଚନ କରାଯାଉ । ଗୁରୁସ୍ୱାମୀ କହିଛନ୍ତି, ଏ ପର୍ଯ୍ୟନ୍ତ ଏଥିରେ କୌଣସି ସ୍ପଷ୍ଟତା ଆସିନାହିଁ ।
ଯଦି ୯୯ ପ୍ରତିଶତ ଭୋଟ୍ ନୋଟାକୁ ମିଳୁଛି ଏବଂ ଏକ ପ୍ରତିଶତ ଭୋଟ୍ କୌଣସି ପ୍ରାର୍ଥୀଙ୍କୁ ମିଳୁଛି ତେବେ ମଧ୍ୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରାଯାଉଛି । କିନ୍ତୁ ରାଇଟ୍ ଟୁ ରିଜେକ୍ଟରେ ରାଜନୈତିକ ଦଳଗୁଡିକୁ କିଛିଟା ଭୟ ରହିବା ଉଚିତ୍ ଯେ, ସେମାନେ ନିଜ ପକ୍ଷରୁ ସ୍ୱଚ୍ଛ ଭାବମୂର୍ତ୍ତିର ପ୍ରାର୍ଥୀ ଚୟନ କରିବେ । ପ୍ରାରମ୍ଭରେ ଆବେଦନ ଉପରେ ଶୁଣାଣି କରିବାକୁ ଖଣ୍ଡପୀଠ ପ୍ରସ୍ତୁତ ନଥିଲେ । ମାତ୍ର ଶେଷରେ କୋର୍ଟ କେନ୍ଦ୍ର ସରକାର ଓ ଆୟୋଗଙ୍କୁ ଏହି ସମ୍ବନ୍ଧରେ ଜବାବ ମାଗିଛନ୍ତି ।