କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମ୍କୋର୍ଟଙ୍କ ଜବାବ ତଲବ : ଆଧାର ଲିଙ୍କ୍ ନହେବାରୁ ୩ କୋଟି ରାସନ କାର୍ଡ ରଦ୍ଦ
ନୂଆଦିଲ୍ଲୀ: ଆଧାର କାର୍ଡ ସହିତ ଲିଙ୍କ୍ ନହେବା କାରଣରୁ କେନ୍ଦ୍ର ସରକାର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିବା ଘଟଣାକୁ ସୁପ୍ରିମକୋର୍ଟ ଆଜି “ଅତ୍ୟନ୍ତ ଗମ୍ଭୀର’ ବୋଲି କହିଛନ୍ତି । ଏଥିସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ମାଗିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ.ବୋବଡ଼େଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ.ବୋପାନ୍ନ ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମ୍ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାକୁ ଏକ ବିରୋଧ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ କାରଣ ଏହା ଅତ୍ୟନ୍ତ ଗୁରୁତର ବିଷୟ ।
ଏହି ମାମଲାକୁ ଚୂଡ଼ାନ୍ତ ଶୁଣାଣି ପାଇଁ ରଖାଯିବ ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାର ଶୁଣାଣି ଆରମ୍ଭରେ, ବରିଷ୍ଠ ଆଡଭୋକେଟ୍ କଲିନ୍ ଗୋନ୍ସାଲଭସ୍, ଆବେଦନକାରୀ କୋଇଲି ଦେବୀଙ୍କ ପକ୍ଷରୁ ହାଜର ହୋଇ ହିଥିଲେ ଯେ ଏହି ପିଟିସନ୍ ଏକ ବୃହତ ପ୍ରସଙ୍ଗ ସହ ଜଡିତ । ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ କହିଛନ୍ତି, ଆମେ ଏହି ସମସ୍ୟାକୁ ଏବେ ନିଜ ହାତରେ ଦେଖୁଛୁ ଏବଂ ମୁଁ ବମ୍ବେ ହାଇକୋର୍ଟରେ ଏହି ପ୍ରକାରର ଅନେକ ମାମଲାର ସାମ୍ନା କରିଛି ଏବଂ ଭାବୁଛି ଏହି ମାମଲା ସଂପୃକ୍ତ ରାଜ୍ୟର ହାଇକୋର୍ଟରେ ଦାଖଲ ହେବା ଉଚିତ୍ ।
ଆଧାର କାର୍ଡ ସହିତ ଲିଙ୍କ୍ ନହେବା କାରଣରୁ କେନ୍ଦ୍ର ସରକାର ପ୍ରାୟ ତିନି କୋଟି ରାସନ କାର୍ଡ ବାତିଲ କରିବା ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଗୋନ୍ସାଲଭସ୍ ତାଙ୍କ ଯୁକ୍ତିରେ ଉଲ୍ଲେଖ କରିଥିଲେ ଏବଂ ଏହି କାରଣରୁ ଦେଶରେ ଅନେକ ଅନାହାର ଜନିତ ମୃତ୍ୟୁ ଘଟୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ ।