ମଙ୍ଗଳବାର ତାରିଣୀ ଦର୍ଶନ ବନ୍ଦ, ନିରାଶରେ ଫେରିଲେ ଭକ୍ତ : କରୋନା କଟକଣାକୁ ବେଖାତିର୍ କରି ଚୁଳପକା

181

ଘଟଗାଁ/ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମା ତାରିଣୀଙ୍କ ମନ୍ଦିର ପ୍ରତି ଶନିବାର, ରବିବାର ଓ ମଙ୍ଗଳବାର ବନ୍ଦ ରହିବା ନେଇ ଗତକାଲି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ ଏହି କଟକଣା କଡ଼ାକଡ଼ି ଲାଗୁ ହେବାକୁ ଥିବା ବେଳେ ଆଜି ସେଠାରେ ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ମାଙ୍କ ବାର ମଙ୍ଗଳବାର ଯୋଗୁଁ ଦର୍ଶନ ଓ ଭୋଗଲାଗି ପାଇଁ ମନ୍ଦିର ନିକଟରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଦର୍ଶନ ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ମାନେ ଦୂରଦୂରନ୍ତରୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା ।

ସେହିପରି କରୋନା ସଂକ୍ରମଣକୁ ଏଡାଇବା ପାଇଁ ମାଙ୍କ ନିକଟରେ ମାନସିକଧାରୀ ମାନେ ଚୂଳ ଅର୍ପଣକୁ ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ବନ୍ଦ ରଖାଯାଇଥିବା ବେଳେ ମନ୍ଦିର ଠାରୁ ଅନତି ଦୂରରେ ଖୋଲମଖୋଲା ଏବଂ କରୋନା କଟକଣାକୁ ଖାତିର୍ ନକରି ଆଜି ମାନସିକଧାରୀ ମାନଙ୍କୁ ଡାକି ନେଇ ସେମାନଙ୍କ ଚୁଳ ପକାଯାଉଥିବା ଦେଖିବାକୁ ମିଳିଛି ।

ଏପରି ଏଠାରେ ମାଙ୍କ ନାମରେ ସେମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଆର୍ଥିକ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏଠାରେ କେହି ମାସ୍କ ପିନ୍ଧିବା କିମ୍ବା ସାମାଜିକ ଦୂରତା କଟକଣା ନମାନି ଅଯଥା ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଯାହାକି ସଂକ୍ରମଣର ଭୟ ରହିଥିବା ନେଇ ସ୍ଥାନୀୟ ବୁଦ୍ଧିଜିବୀ ଚିନ୍ତା ବ୍ୟକ୍ତ କରିଛନ୍ତି । ବିଶେଷ କରି ଘଟଗାଁ ପୋଲିସର ନିଷ୍କ୍ରିୟତା ପାଇଁ ଭକ୍ତ ମାନେ ଅଯଥା ଆର୍ଥିକ ଶୋଷଣର ଶିକାର ହେବା ସହ ସଂକ୍ରମଣର ଭୟ ବଢୁଛି । ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.