ତେଜିଲା ମଦ ବିରୋଧୀ ଆନ୍ଦୋଳନ : କୋଟପାଡ଼ ପୋଲିସ ଥାନା ଓ ଅବକାରୀ ବିଭାଗ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

143

କୋଟପାଡ଼ : ତେଜିଲା ମଦ ବିରୋଧୀ ଆନ୍ଦୋଳନ । ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ ଓ ଗ୍ରାମୀଣ ମହିଳା।କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ମଦ ବିରୋଧୀ ଆନ୍ଦୋଳନର ସ୍ୱର ଉଠୁଥିବା ବେଳେ ଏଣେ ଅବୈଧ ମଦ କାରବାର ବ୍ୟାପକ ହେବାରେ ଲାଗିଲାଣି । ଏପରିକି ପ୍ରତ୍ୟେକ ଗାଁ ଗଣ୍ଡା ଓ ଗଳିକନ୍ଦିରେ ଅବୈଧ ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ମଦୁଆମାନଙ୍କ ଯୋଗୁଁ ୯୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହ।ନି ହେଉଥବା ବେଳେ, ବୃଦ୍ଧି ପାଉଛି ଅନୈତିକ କାର୍ଯ୍ୟକଳାପ । ଏପରିକି ଯୁବପିଢ଼ି ମଧ୍ୟ ଏହାର ବଶବର୍ତ୍ତୀ ହେବାରେ ଲାଗିଲେଣି ଏବଂ ସଭ୍ୟ ସମାଜର ମେରୁଦଣ୍ଡ ଧୀରେ ଧୀରେ ଭାଙ୍ଗିବାରେ ଲାଗିଲାଣି ।

ଏଭଳି କିଛି ସମସ୍ୟାକୁ ନେଇ ଆଜି କୋଟପାଡ଼ ବ୍ଲକ ଅନ୍ତର୍ଗତ ଢ।ମଣାହାଣ୍ଡି ପଞ୍ଚୟତର ଶତାଧିକ ମହିଳା କୋଟପାଡ଼ ପୋଲିସ ଥାନା ଘେରିବା ସହ କୋଟପାଡ଼ ଅବକାରୀ ବିଭ।ଗକୁ ମଧ୍ୟ ଘେର।ଓ କରିବା ଦେଖିବାକୁ ମିଳିଥିଲା । ମହିଳାମାନଙ୍କ କହିବା ଅନୁଯାୟୀ ତାଙ୍କ ଅଂଚଳରେ ବେଧଡଲ ଅବୈଧ ମଦ କ।ରବାର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଆଣ୍ଠୁ ପାଣି କହୁଣୀକୁ ହେଲାଣି । ଗାଁର ଯୁବକ ନିଶାସକ୍ତ ହୋଇ ନିଜ ମା, ବାପାଙ୍କୁ ମାରପିଟ କରିବା, ସ୍ୱାମୀ ତା ପତ୍ନୀଙ୍କୁ ମାରପିଟ କରିବା, ମହିଳାମାନେ ଵିଧବା ହେବା, ଛୋଟ ଛୋଟ ଛୁଆ ବାପା ଛେଉଣ୍ଡ ହେବା ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଲାଣି କିନ୍ତୁ ସମାଜର ଦାୟୀତ୍ୱବାନ ଲୋକଙ୍କ ଏହା ପ୍ରତି ନିଘା ହିଁ ନାହିଁ । ଅତିଶୟ ହେବା ପରେ ତିନି ମାସ ପୂର୍ବେ ଢାମଣାହାଣ୍ଡି ଗ୍ରାମର ଶତାଧିକ ମହିଳାମାନେ ଏହାର ପ୍ରତିବାଦ ସ୍ୱରୂପ ଏକତ୍ରିତ ହୋଇ ଆନ୍ଦୋଳନ ମଧ୍ୟ କରିଥିଲେ ଏବଂ ସ୍ଥାନୀୟ ମନ୍ତ୍ରୀଙ୍କୁ ସହଯୋଗ ମାଗିବା ସହ କୋଟପାଡ଼ ଥାନା ଏବଂ ଅବକାରୀ ବିଭାଗକୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ହେଲେ ଏଯାଏଁ ମଦ କାରବାର ବେପରୁଆ ଢଙ୍ଗରେ ସେମିତି ହିଁ ଚାଲିଛି । ପୋଲିସ କେତେ ଜଣ ଅବୈଧ ମଦ ବ୍ୟବସାୟୀଙ୍କୁ ଗିରଫ କରି ଆଣିଥିଲେ କିନ୍ତୁ ସରକାରୀ କୋଭିଡ ନିୟମ ଧାରା ୪୧ ଯୋଗୁଁ ଦୁଇଦିନ ମଧ୍ୟରେ ସେମାନଙ୍କ ଜାମିନ ମଂଜୁର ହେବା ଯୋଗୁଁ ପୁଣି ଥରେ ସେମାନେ ମଦ ବ୍ୟବସାୟ ଆରମ୍ଭ କରିଦେଉଛନ୍ତି । ଏଭଳି ବ୍ୟବସ୍ଥା ମନ୍ତ୍ରୀ,ପୋଲିସ ଏବଂ ଅବକାରୀ ବିଭାଗକୁ ପଙ୍ଗୁ କରୁଥିବା ବେଳେ ରାଜ୍ୟ ସରକାରଙ୍କ ମାଁ କୁ ସଂମାନ ଏବଂ ସ୍ୱୟଂ ସହାୟକ ଗ୍ରୁପ ଗଠନ କରି ମହିଳା ସଶକ୍ତିକରଣ କରାଇବା କଥା ପାଣିରେ ଗାର ପକାଇବା ଭଳି ପ୍ରତିପାଦନ କରୁଛି । ଫଳ ଶୂନ ହେବା ଯୋଗୁଁ ତିନିମାସ ପରେ ପୁଣି ଶତାଧିକ ମହିଳା ରଣହୁଙ୍କାର ଦେଇ ରାଜରାସ୍ତାକୁ ଓହ୍ଲାଇ ପୋଲିସ ଥାନା ଏବଂ ଅବକାରୀ ଥାନାକୁ ଘେରାଓ କରିବା ସହ ପ୍ରଶାସନକୁ ଚେତାଇଛନ୍ତି । ଯଦି ତାଙ୍କ ପଞ୍ଚାୟତରେ ଅବୈଧ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ନହୁଏ ତା ହେଲେ ଏ ଆନ୍ଦୋଳନକୁ ବ୍ୟାପକ କରିବା ସହ ରାଜରାସ୍ତାକୁ ଅବରୋଧ କରାଯିବାର ଚେତାବନୀ ମଧ୍ୟ ଦେଇଛନ୍ତି । ଦେଖିବାକୁ ବାକି ରହିଲା ମାଁ ମାନଙ୍କ ସମ୍ମାନ ଦିଗରେ ଏବଂ ମୋ ସରକାର ସଫଳ ରୂପାୟନ ଦିଗରେ ପ୍ରଶାସନ କଣ ପଦେକ୍ଷପ ନେଉଛି ଓ ସମସ୍ୟାର କି ସମାଧାନ ବାହାରୁଛି ।

Leave A Reply

Your email address will not be published.