ବିଜେପି ନେତାଙ୍କ ହତ୍ୟା ପରେ ତନାଘନା ଆରମ୍ଭ

189

୧୨ଜଣଙ୍କ ନାମରେ ମାମଲା

କାର୍ଯ୍ୟାନୁଷ୍ଠାନ ହେବ: ଆଇନ୍ମନ୍ତ୍ରୀ

ମାହାଙ୍ଗା/ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟକାରିଣୀ ସଦସ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ପାର୍ଥିବ ଶରୀରକୁ ବ୍ୟବଛେଦ ପରେ କଟକରୁ ସାଲେପୁର ବାଟ ଦେଇ ନିଜ ଗ୍ରାମ ମାହାଙ୍ଗା ମାଟିକୁ ଏକ ବିଶାଳ ପଟୁଆର ଶୋଭାଯାତ୍ରାରେ ଆଣିବା ସମୟରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଜଗତପୁର ପିରବଜାର ବିଜେପି କାର୍ଯ୍ୟାଳୟ ନିକଟରେ ମାଲ୍ୟାର୍ପଣ କରିଥିଲେ । ତାଙ୍କର ବହୁ ସମର୍ଥକ ଓ ବିଜେପି ନେତା ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ସହିତ କୁଳମଣି ଭାଇ ଆମର ରହେ ବୋଲି ଧ୍ୱନି ଦେଇଥିଲେ । ଏଥିନେଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏନେଇ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ହତ୍ୟା କରାଯିବା ମାମଲାରେ ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଦୁଃଖ ପ୍ରକାଶ କରିବା ସହ ହତ୍ୟାକାରୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ସେ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ – ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହି ଘଟଣାକୁ ମୁ ଦୃଢ ଭାବେ ନିନ୍ଦା କରୁଛି ଓ ଏହି ଘଟଣାରେ ସମ୍ପୃତ ସମସ୍ତ ଦୋଷୀ ଦଣ୍ଡ ପାଇବେ ଓ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

Leave A Reply

Your email address will not be published.