ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ନେଇ ରାଜନୈତିକ ବୟାନବାଜି ଜୋର ଧରିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏପରି ସ୍ଥଳେ ବିଜେପି ଏହାକୁ ପଲଟିକାଲ୍ ମର୍ଡର ବୋଲି ଆଖ୍ୟା ଦେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛି । ନୈତିକତା ଦୃଷ୍ଟିରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏ ଘଟଣାକୁ ରାଜନୈତିକ ରୂ ଦେଉଛି ବିଜେପି । ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟାକୁ ନେଇ ଜୋର ଧରିଛି ପ୍ରତିବାଦର ସ୍ୱର । ଦୋଷୀଙ୍କ ଗିରଫ ଦାବିରେ ଅବିଭକ୍ତ କଟକ ଜିଲ୍ଳାର ସବୁ ବ୍ଲକ୍ରେ ବିଜେପି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି । କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମାହାଙ୍ଗା ବିଧାୟକ ତଥା ମବୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗକୁ ଆସି କହିଛନ୍ତି ଗତ ପଞ୍ଚାୟତ ନିର୍ବାଚନରୁ ଆଜିଯାଏ ରାଜ୍ୟରେ ୧୭ଟି ହିଂସା ହୋଇଛି । ବିଜେଡି ନିଜ ଦବ୍ଦବା ବଜାୟ ରଖିବାକୁ ହିଂସାକୁ ଆପଣାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ନୀତି ଓ ନୈତିକତା ଉଠାଇ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କହିଛି । ବିରୋଧୀଙ୍କ କଡ଼ା ଜବାବ ଦେଇ ମବୀ ଶ୍ରୀ ଜେନା କହିଛନ୍ତି ଏହି ହତ୍ୟା ଘଟଣାରେ ତାଙ୍କର ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ । ଦୋଷୀ କିପରି ଶ୍ରୀଘ ଗିରଫ ହୁଅନ୍ତୁ । ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ । ବିରୋଧୀ ଏକଥା ଚାହୁଁଛନ୍ତି କି ନାହିଁ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିବା ସହିତ ଏହାକୁ ରାଜନୈତିକ ରୂପ ଦେବାକୁ ବିଜେପି ଚାହୁଁଛି ବୋଲି କହିଛନ୍ତି ।
୨୦୧୯ରୁ ହୋଇନି ଗୋଟିଏ ବି ରାଜନୈତିକ ହିଂସା: ବିଜେଡି
ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ରାଜନୀତିକ ହିଂସା ଘଟଣାରେ ରାଜ୍ୟ ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଯେଉଁଦଳ ରାଜନୈତିକ ହିଂସା ଆରୋପ ଲଗାଉଛନ୍ତି ସେମାନେ ବିଭିନ୍ନ ରାଜ୍ୟରେ ସରକାରରେ ଅଛନ୍ତି । ସେହି ରାଜ୍ୟରେ କେଉଁଭଳି ରାଜନୀତିକ ହିଂସା ହେଉଛି ସେ କଥା କାହାକୁ ଅଛପା ନାହିଁ । ତେଣୁ ସେମାନଙ୍କର ଏ ବାବଦରେ କହିବାର ନୈତିକ ଅଧିକାର ନାହିଁ । ଏନ୍ସିଆରବି ରିପୋର୍ଟ କହୁଛି ୨୦୧୯-୨୦ରେ ଓଡ଼ିଶାରେ ଗୋଟିଏ ବି ରାଜନୀତିକ ହିଂସା ହୋଇନାହିଁ । ସର୍ବାଧିକ ରାଜନୀତିକ ହତ୍ୟା ପଶ୍ଚିମବଙ୍ଗରେ ହୋଇଛି । ବିହାର ଏବଂ ଝାଡ଼ଖଣ୍ଡରେ ୬, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି ରାଜନୀତିକ ହତ୍ୟା ହୋଇଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ବି.ଯୁଗଳ କିଶୋର କହିଛନ୍ତି । ଏହାକୁ ନେଇ ବିଜୁ ଜନତା ଦଳକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ।