ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ପାରିତ

152
ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ତାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀମନ୍ଦିରର ନିରାପତା, ଭକ୍ତଙ୍କ ନିରାପତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତି ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ, ପଦ୍ମଭୂଷଣ ରଘୁନାଥ ମହାପାତ୍ର ଓ ଗବେଷକ ଡ.ସୁବାସ ପାଣିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ସେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ସହଯୋଗ କରୁଥିବାରୁ ଶ୍ରୀମନ୍ଦିରର ସେବାୟତ ଓ ପୁରୀ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ତିନୋଟି ପ୍ରସ୍ତାବ ରଖିଥିଲେ । ପ୍ରଥମେ ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ଦ୍ୟମ କରିବା । ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା ଏବଂ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ । ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି ।
ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଷ୍ଟେକ୍ ହୋଲଡରସହିତ ବହୁବାରଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ଲାନ୍ ପ୍ରସ୍ତୁତ କରିଛି । ସାଧାରଣଭାବେ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଥାନ୍ତି । ମୁଁ ଦୃଢ ବିଶ୍ୱାସ କରେ ଯେ ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନ୍‌ୁ୍‌ହେଁ । ଏ ଯୋଜନା ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଛି । ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଜନସାଧାରଣଙ୍କ ନିକଟରେ ଶ୍ରୀମନ୍ଦିର କରିଡର ପ୍ଲାନ୍ ଉପସ୍ଥାପନ କରି ନିଜକୁ ଧନ୍ୟ ମନେକରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହା ହେଉଛି ଓଡିଆ ଜାତି ପାଇଁ ତଥା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୂହୁର୍ତ । ଏଭଳି ସୁଯୋଗ ବହୁତ କମ୍ ଆସେ । ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ ।ଏହି ଭାବନା ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ ବୋଲି ସେ କହିଥିଲେ ।
ଏହି ସଂକଳ୍ପକୁ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇବା ସହ ମତାମତ ରଖିଥିଲେ । ଏହାପରେ ସଂକଳ୍ପ ସମ୍ପର୍କରେ ସୂଚନା ଦେବା ପରେ ତାହା ପାରିତ ହୋଇଥିଲା । ଏହି ସଂକଳ୍ପ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ଦେବୀ ମିଶ୍ର ଅଂଶଗ୍ରହଣ କରିଥିଲେ ।
Leave A Reply

Your email address will not be published.