ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡ଼ି ଗ୍ରାମରେ ଗତକାଲି ବିଳମ୍ବିତ ବୁଲୁ ସାହୁ ନାମକ ଜଣେ ବୃଦ୍ଧଙ୍କୁ ଘର ଭିତରେ ଥିବା କୂଅରେ ପକାଇ ହତ୍ୟା କରାଯାଇଥିବା ଖବର ମିଳିଛି । ଏହାପରେ ପରିବାର ଲୋକେ ସାଇପଡ଼ିଶା ଲୋକଙ୍କୁ ବୃଦ୍ଧ ଜଣକ କୂଅରେ ପଡିଯାଇଛନ୍ତି ବୋଲି କହିଥିଲେ । ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି କୂଅରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା । ପାରିପାଶ୍ୱିର୍କ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତକଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ରିପୋର୍ଟ ଅପେକ୍ଷାରେ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ତାଙ୍କ ଦୁଇ ପୁଅଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।
ଅନ୍ୟପକ୍ଷରେ ସାଇପଡ଼ିଶାଙ୍କ ନିକଟରୁ ଖବର ନେବାରୁ ଜଣାପଡିଛି, ବୃଦ୍ଧ ଜଣକ ଶ୍ରମିକ ଶ୍ରେଣୀର । ସେ ପ୍ରତ୍ୟେହ ରାତିରେ ମଦ୍ୟପାନ କରି ଘରକୁ ଫେରୁଥିଲେ ଓ ନିଶାସକ୍ତ ଅବସ୍ଥା ପରିବାର ଲୋକଙ୍କ ସହିତ ବଚସା କରୁଥିଲେ । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପରିବାର ଲୋକଙ୍କ ସହିତ ବଚସା କରିଥିବା ଜଣାପଡିଛି । ପୋଲିସ ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।