ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଆସନ୍ତା ଫେବୃଆରୀ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେଲ ଓ ଗ୍ୟାସ୍ ଦର ବୃଦ୍ଧି , କୋଟିଆ ଓ ମହାନଦୀ ବିବାଦ ,ମାହାଙ୍ଗା ରାଜନୈତିକ ହତ୍ୟା ମାମଲାରେ ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡ଼ିଶା ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି ପିସିସି ସଭାପତି କହିଛନ୍ତି ।
ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ ଟଙ୍କା ଟପିଥିବା ବେଳେ ମାଲକାନଗିରିରେ ଏହା ୯୦ ଟପିଲାଣି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି । ଯାହା ଉଭୟ ମଧ୍ୟବିତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି । ଏଭଳି ସ୍ଥଳେ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି । ଏପରିକି ରାଜ୍ୟର ସ୍ୱାର୍ଥ ଓ ଜନସଚେତନତା ଦୃଷ୍ଟିରୁ ଏହି ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।