ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଅନ୍ତିମ ରିପୋର୍ଟ ୨୨ ତାରିଖ ସୁଦ୍ଧା ଦାଖଲ ହେବ

164

-ରାଜୁଆ, ମଲାଗୁଣି ନଦୀରେ ବନ୍ୟା ଆଶଙ୍କା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଏବେ ବର୍ଷା ହୋଇନଥିଲେ ମଧ୍ୟ ପାଗ ମେଘୁଆ ଅଛି । ତେବେ ମହାନଦୀର ଫାଟକ ଖୋଲିବା ପରେ ରାଜୁଆ, ମଲାଗୁଣି ଆଦି ନଦୀରେ ଜଳ ପତନ ବୃଦ୍ଧି ପାଇବା ସହ ବନ୍ୟାର ଆଶଙ୍କା ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଦ୍ବାରା ୨୩୮ ଘର ଭାଙ୍ଗି ଥିବାବେଳେ ୩୦୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ୧୦ଟି ବ୍ଲକର ୬୨ଟି ଗାଁରେ କ୍ଷୟକ୍ଷତି ହୋଇଛି । ଏହାଦ୍ବାରା ୧୪୮୦ ଜଣ ପ୍ରଭାବିତ ହୋଇଛନ୍ତି । ଆଜି ଅପରାହ୍ନ ସୁଦ୍ଧା ବିଭିନ୍ନ ପଞ୍ଚାୟତରୁ ଆସିଥିବା ତଥ୍ୟ ଅନୁଯାୟୀ, ୨୨୨ଟି ଘର ଆଂଶିକ ଭାବେ ଭାଙ୍ଗିଛି । ଏହା ସହ ୩୦୭ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ୧୦ଟି ବ୍ଲକ୍ ମଧ୍ୟରୁ ବୋଲଗଡ଼ ବ୍ଲକ୍ରେ ରାସ୍ତାଘାଟ ଧୋଇ ହୋଇଯାଇଥିବା ବେଳେ ୫ଟି ନାଳ ଭାଙ୍ଗିଯାଇଛି । ଚିଲିକା ବ୍ଲକ୍ର ଜରିପଡ଼ାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥ ଗତକାଲି ରାତିରେ ଭାଙ୍ଗିଯାଇଛି । ତେବେ ପଛୁଆ ଜଳଜନିତ ବନ୍ୟା ପାଇଁ ୨ଟି ଓଡ୍ରାଫ୍ ଟିମ୍ ସହ ୮ଟି ବୋଟ୍ ଓ ୧୨ଟି ପଶୁ ଚିକିତ୍ସକ ଟିମ୍ ଙ୍କୁ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ମୁତୟନ କରାଯାଇଛି । ଜଗନ୍ନାଥପୁର ଓ କରିପଟାର ଅଁଳାତିହରେ ବାଲିବସ୍ତା ପକାଇ ଘଳିଆକୁ ମରାମତି କରାଯାଇଛି । ଏହା ସହ ଟାଙ୍ଗୀ ବ୍ଲକ୍ର ସାନକୁସୁମୀ ଗାଁରେ ୮୦ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସବିଶେଷ ବିବରଣୀ ୨୨ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ଦାଖଲ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅନୁଜ ଦାସପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.