ଶ୍ରୀଗୁଣ୍ଡିଚା ମାଙ୍କ ପାଖରେ ପହଞ୍ଚିଲେ ଚତୁର୍ଦ୍ଧାମୂର୍ତି

165

ପୁରୀ: ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଚତୁର୍ଦ୍ଧାମୂର୍ତିଙ୍କ ଗୁଣ୍ଡିଚା ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ । ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ଶ୍ରୀଜିଉଙ୍କ ରଥ। ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ।

ପହଣ୍ଡିରୁ ନେଇ ରଥଟଣା ସବୁକିଛି ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଛି । କ୍ରମାଗତ ଦ୍ୱିତୀୟ ବର୍ଷ ମହାମାରୀ କରୋନା ପାଇଁ ଭକ୍ତ ରହିତ ଭାବେ ପାଳନ ହେଉଛି ରଥଯାତ୍ରା । ସେବାୟତମାନେ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସରେ ଟାଣି ନେଇ ଶରଧାବାଲି ଅଭିମୁଖେ ବାହାରିଥିଲେ। ଆଜି ବଳଭଦ୍ରଙ୍କ ରଥ ଟଣା କାର୍ଯ୍ୟ ଠିକ୍ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୭ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଶେଷ ହୋଇପାରିଥିଲା । ଘୋଷ ଯାତ୍ରାରେ ନିୟୋଜିତ ସେବକମାନଙ୍କ ସହ ସୁରକ୍ଷାକର୍ମୀ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ରଥଯାତ୍ରାରେ ସାମିଲ୍ ସମସ୍ତଙ୍କ ସେବକଙ୍କୁ କୋଭିଡ୍ ଟିକା ମଧ୍ୟ ଦିଆଯାଇଛି । ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ବଡ଼ଦାଣ୍ଡକୁ ଆସିବା ଲାଗି ସମସ୍ତଙ୍କୁ ବାରଣ କରାଯାଇଛି । କରୋନା କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି ।

ଚଳିତ ବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି । ପୁରୀର ଜନତା ମଧ୍ୟ ନିଜ ଘରର ଛାତ ଉପରେ ଥାଇ ରଥଯାତ୍ରାକୁ ଦେଖିପାରୁ ନାହାନ୍ତି । ଗତକାଲି ଠାରୁ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଯାଇଛି । କରୋନା ଗାଇଡଲାଇନ ଅନୁସାରେ ଘୋଷଯାତ୍ରାର ଆୟୋଜନ ହେଉଥିବାରୁ ଲୋକମାନେ ବାଧ୍ୟତାମୂଳକ ଭାବେ କଟକଣାକୁ ପାଳନ କରୁଛନ୍ତି । ଲୋକେ ମହାପ୍ରଭୁଙ୍କ ଯାତ୍ରାକୁ ଟେଲିଭିଜନ ମାଧ୍ୟମରେ ଦେଖୁଛନ୍ତି । ସେବାୟତ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥକୁ ପହଂଚାଇ ଥିବାରୁ ରାଜ୍ୟ, ଜିଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ଏହି କାର୍ଯ୍ୟକୁ ପ୍ରଶାଂସା କରାଯାଇଛି । କରୋନା କଟକଣା ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା ଦ୍ୱିତୀୟ ଥର ପାଇ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.