ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ- ମୁଖ୍ୟମନ୍ତ୍ରୀ

163

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ୱତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ୱର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ କରାଯିବ ବୋଲି ଜଣାଯାଇଛି । ଗତକାଲି ସନ୍ଧ୍ୟାରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମନୋରମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡ଼ିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି । ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜର ସମ୍ପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ । ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଯୁବାବସ୍ଥା ଅତିବାହିତ କରିଥିଲେ ମନୋରମା । ତାଙ୍କ ବାପା ଡକ୍ଟର ରାଧାନାଥ ରଥ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।

Leave A Reply

Your email address will not be published.