ମ.ରାମପୁର : କରୋନା କାରଣରୁ ସମାଜର ସବୁ ବର୍ଗର ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ସଭିଙ୍କର ପ୍ରାୟ ଆର୍ଥିକ ମେରୁଦଣ୍ଡ ଭାଂଗିଯାଇଛି କହିଲେ ଚଳେ । ଏଭଳି ସ୍ଥିତିରେ ବଜାର ଦର ବେଲଗାମ୍ ହୋଇ ଚାଲିଛି । ମହଙ୍ଗା ମାଡରେ ବେହାଲ ହୋଇ ସାଧାରଣ ଖାଉଟି କଲବଲ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ସହ ବିରୋଧୀ ଦଳଯାଏଁ ସମସ୍ତେ ଚୁପ୍ ବସିଯାଇଥିବା ଘୋର ଦୁଃଖ ଓ ପରିତାପର ବିଷୟ ହୋଇଛି । ପେଟ୍ରୋଲ, ଡିଜେଲ, ଗ୍ୟାସ ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ପିଆଜ ଅନ୍ୟାନ୍ୟ ପରିବାପତ୍ରର ଦର କ୍ରମେ ବଢି ବଢି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ସତେ ଅବା ବିଫଳ ହୋଇ ହାତ ଟେକି ଦେଇଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଶେଷକରି ରନ୍ଧନଗ୍ୟାସର ଦର ଅହେତୁକ ବୃଦ୍ଧି ହେତୁ ଗ୍ରାମୀଣ ଇଲକାର ମହିଳା ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବୋଧ୍ ହୁଏ ଗରିବ ମଧ୍ୟବିତ୍ତଙ୍କ ପାଇଁ ଉଜ୍ଜଲା ଯୋଜନା ଫେଲ୍ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କଳାହାଣ୍ଡି ଜିଲ୍ଲାରେ ଚଳିତ ମାସ ପ୍ରାରମ୍ଭରେ ଗ୍ୟାସ ସିଲିଣ୍ଡର ଦର ୯୨୭ ଟଙ୍କା ହୋଇଛି । ପ୍ରତି ମାସରେ ଏହି ବର୍ଦ୍ଧିତ ଦରରେ ୧୫ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଯୋଡି ହୋଇ ଚଲିଛି । ଏହା ଖୁବ ଶୀଘ୍ର ୧ ହଜାର ଟଙ୍କାକୁ ଟପିଯିବ ବୋଲି ଚର୍ଚ୍ଚା ହେଉଛି । ରୋଷେଇ ଘରେ ଗ୍ୟାସ ଜାଳେଣୀ ମହଙ୍ଗା ଜନିତ ଅତିରିକ୍ତ ଆର୍ଥିକ ଚାପ ଏଡାଇବାକୁ ଅସହାୟ ଗୃହିଣୀ ଆଖୁରୁ ଲୋତକ ନିଗାଡୁଛି । ଗ୍ୟାସ ବିକଳ୍ପ ଆପଣେଇ ଗ୍ରାମୀଣ ମହିଳା କାଠ ଜାଳ ସଂଗ୍ରହ କରି ରୋଷେଇ କରିବାକୁ ଲାଗିଲେଣି । ଅହେତୁକ ତଥା ବେଲଗାମ୍ ଗ୍ୟାସ ଦର ବୃଦ୍ଧି ଜନିତ ସମସ୍ୟାରେ ଜୁଝି ହୋଇ ଘରର ଝିଅ, ବୋହୁ, ମାଆ ମାନେ ରୋଷେଇ ପାଇଁ କାଠ, କାଠିକୁଟା, ପତର ଆଦି ଜାଳି ପୁଣି ସେହି ଅତୀତର ନିଆଁଧୁଆଁ, କଳା, ଅଂଗାରରେ ଘାଣ୍ଟି ହେଉଥିବା ଦେଖାଯାଉଛି ।
Sign in
Sign in
Recover your password.
A password will be e-mailed to you.