ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟମେଳା ଆଜିଠୁ

133

– ପ୍ରଦର୍ଶନୀ ପଡିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟମେଳା-୨୦୨୧ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମେଳାର ଉଦ୍‌ଘାଟନ କରିବେ ବୋଲି ରାଜ୍ୟ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ସୁଦୃଢ଼ କରିବା ପାଇଁ ବାଣିଜ୍ୟ ମେଳା ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ଦେଶର ଅଣୁ , କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନଜରରେ ରଖି ବାହାର ଦେଶର ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇ ନାହିଁ । ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପ ଉଦ୍ୟୋଗୀ ମାନେ ସାମିଲ ହେବେ । ନୁଆ ଷ୍ଟାର୍ଟଅପ୍‌, ମହିଳା ଉଦ୍ୟୋଗୀ ଏବଂ ମିଶନ୍ ଶକ୍ତିକୁ ଅଗ୍ରାଧିକାର ଦିଆଯାଇଛି ।

ସମଗ୍ର ମେଳା ମଧ୍ୟରେ ୬୦ଟି ଲେଖାଁଏ ଷ୍ଟଲ୍ ଥିବା ୫ଟି ହ୍ୟାଙ୍ଗର୍ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ୪ଟି ଷ୍ଟଲ୍ ଷ୍ଟାଟ୍‌ଅପ୍‌, ଫୁଡ଼୍ ପ୍ରୋସେସିଙ୍ଗ୍ ୟୁନିଟ୍‌, ମିଶନ୍ ଶକ୍ତି, ପିଏସ୍‌ୟୁମାନଙ୍କ ପାଇଁ ଥିବାବେଳେ ଅନ୍ୟଟି ସାଧାରଣ ଉଦ୍ଦେଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି । ଯେଉଁଥିରେ ଯନ୍ତ୍ରପାତି ଏବଂ ନୂତନ ଟେକ୍ନୋଲୋଜିର ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି ।

ସେହିପରି ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବାକୁ ଯୋଜନା ରହିଛି । ଯାହା ପ୍ରତ୍ୟେକ ଦିନ ୧୦.୩୦ରୁ ୧.୦୦ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଯେପରିକି; ଓଡ଼ିଶାର ଆଗ୍ରୋ ଏବଂ ଫୁଡ଼୍ ପ୍ରୋସେସିଙ୍ଗ୍ ୟୁନିଟ୍‌, ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାଟ୍‌ଅପ୍ ପାଇଁ ବଜାର ଏବଂ ଆର୍ଥୀକ ଆବଶ୍ୟକତାର ଗୁରୁତ୍ୱ, ଉଦ୍ୟୋଗୀତା କ୍ଷେତ୍ରରେ ମହିଳା ଉଦ୍ୟୋଗୀ, କ୍ଲଷ୍ଟର୍ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ ।

ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୨୦୧୩ ମସିହାରୁ ପ୍ରତିବର୍ଷ ଆର୍ନ୍ତଜାତୀୟ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଆୟୋଜିତ ହୋଇଆସୁଛି ।

Leave A Reply

Your email address will not be published.