ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ନବ ନିଯୁକ୍ତ ମୁଖ୍ୟ ବିଚାରପତି । ଭୁବନେଶ୍ୱର ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁପ୍ରିମକୋର୍ଟ କଲିଜିୟମ୍ ଡିସେମ୍ବର ୧୪ ତାରିଖରେ ଜଷ୍ଟିସ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପାରିସ କରିଥିଲେ । ୧୬ ତାରିଖରେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ତେବେ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବର ଭାବେ ଏହି ସମାରୋହ କରାଯାଇଛି । ଶପଥ ଗ୍ରହଣ କରି କଟକ ଅଭିମୁଖେ ବାହାରିଛନ୍ତି ମୁଖ୍ୟ ବିଚାରପତି । କୋଭିଡ଼ କଟକଣା କାରଣରୁ ସୀମିତ ସଂଖ୍ୟକ ଅତିଥି ଏହି ସମାରୋହରେ ସାମିଲ ହୋଇଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲ ଭାବେ ଉପସ୍ଥିତ ରହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦, ଡିସେମ୍ବର ୧୪ରେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଡିସେମ୍ବର ୩୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡ଼ିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ। ବହୁ ଜନସ୍ବାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସେ ଜାତୀୟ ମାନବାଧିକାର କମିସନ୍ ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ।