ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ମଧ୍ୟବର୍ତୀକାଳୀନ ଲାଭାଂଶ ବାବଦରେ ଏକ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓଡ଼ିଶା ଖଣି ନିଗମ ପକ୍ଷରୁ ୧୦୦୦ କୋଟି ଟଙ୍କାର ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ ।
ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ଉପସ୍ଥିତ ଥିଲେ । ସେହିପରି ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧ କୋଟି ଟଙ୍କା ପ୍ରଦାନ କରିଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।
ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା ।
ଏଥିରେ ଅନୁପ୍ରାଣିତ ହୋଇ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ୍ ଅର୍ଥ ଦେଇଛି । କଳିଙ୍ଗ କମର୍ସିଆଲ କର୍ପୋରେସନ୍ ଲିମିଟେଡର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।