ପ୍ରଧାନମନ୍ତ୍ରୀ ଆଜି କରିବେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଶର ବିଭିନ୍ନ ଅଂଚଳରୁ ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ

142

ନୂଆଦିଲ୍ଲୀ: ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟିକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ଟି ଟ୍ରେନର ଶୁଭାରମ୍ଭ କରିବେ । ଦେଶର ବିଭିନ୍ନ ଅଂଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ କରାଯିବ । ଶ୍ରୀ ମୋଦୀ ମଧ୍ୟ ସେଦିନ ଗୁଜରାଟରେ ରେଳବାଇର ଅନ୍ୟାନ୍ୟ କେତେକ ପ୍ରକଳ୍ପକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ରେଳବାଇ ମନ୍ତ୍ରୀ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ଗୁଜରାଟରେ ସେଦିନ ଯେଉଁ ରେଳ ପ୍ରକଳ୍ପଗୁଡିକୁ ଉଦଘାଟନ କରିବେ ସେଗୁଡିକ ମଧ୍ୟରେ ରହିଛି ଗେଜ ପରିବର୍ତ୍ତନ ହୋଇ ବ୍ରଡଗେଜ ହୋଇଥିବା ଚାନ୍ଦୋଡ-କେୱାଡିଆ ଲାଇନ, ନୂଆକରି ବିଦ୍ୟୁତକରଣ ହୋଇଥିବା ପ୍ରତାପନଗର-କେୱାଡିଆ ସେକ୍ସନ ଏବଂ ଡାଭୋଇ, ଚାନ୍ଦୋଡ ଏବଂ କେୱାଡିଆର ନୂଆ ଷ୍ଟେସନ ବିଲଡିଂ । ଏହିସବୁ ନୂଆ ଷ୍ଟେସନ ବିଲଡିଂକୁ ଆଧୁନିକ ଡିଜାଇନରେ କମନୀୟ କରାଯାଇଛି ଏବଂ ଏଥିରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ସୁଯୋଗ ରହିଛି । କେୱାଡିଆ ଷ୍ଟେସନ ଭାରତର ପ୍ରଥମ ରେଳଷ୍ଟେସନ; ଯାହା ଗ୍ରୀନ ବିଲ୍ଡିଂ ସାର୍ଟିଫିକେସନ ଅନୁସାରେ ନିର୍ମିତ । ଏହିସବୁ ରେଳପ୍ରକଳ୍ପ ଦ୍ୱାରା କେୱାଡିଆ ଓ ଆଖପାଖର ଆଦିବାସୀ ଅଞ୍ଚଳଗୁଡିକର ବିକାଶ ସାଧିତ ହେବ । ଏହାଛଡା ନର୍ମଦା ନଦୀକୂଳରେ ଥିବା ଦୁଇଟି ପ୍ରାଚୀନ ତୀର୍ଥସ୍ଥଳୀକୁ ସବୁଦିନିଆ ସଂଯୋଗ ସ୍ଥାପନ ହୋଇପାରିବ । ଏହାଛଡା ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କୁ ଉତ୍ତମ ରେଳ ସଂଯୋଗ ମିଳିବ । ଏହାଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ସୁବିଧା ବୃଦ୍ଧି ପାଇବ ।

Leave A Reply

Your email address will not be published.