ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଭିଡ-୧୯ର ସ୍ଥିତି ଓ ଟୀକାକରଣ ପ୍ରସ୍ତୁତି ସମୀକ୍ଷା

170

ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପରେ ଜାନୁଆରୀ ୧୬ ରୁ ଆରମ୍ଭ ହେବ ଟୀକାକରଣ

ଆକଳନ ଅନୁଯାୟୀ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଟୀକାଦାନରେ ଦିଆଯିବ ପ୍ରାଥମିକତା

ଏହାପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୫୦ ବର୍ଷରୁ କମ୍‍ ଏକାଧିକ ରୋଗରେ ପୀଡିତ ପ୍ରାୟ ୨୭ କୋଟି ଲୋକଙ୍କୁ ଦିଆଯିବ ଟୀକା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ର ସ୍ଥିତି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟୀକାକରଣର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍‍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

କୋଭିଡ ପରିଚାଳନା ଓ ଏ ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରସଙ୍ଗର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ସୁରକ୍ଷା ଓ ପ୍ରତିରୋଧକଶକ୍ତି ପ୍ରମାଣିତ କରିଥିବା ଦୁଇଟି ଟୀକା (କୋଭିସିଲ୍ଡ ଏବଂ କୋଭାକ୍ସିନ)ର ଜରୁରୀକାଳୀନ ବ୍ୟବହାର କିମ୍ବା ତ୍ୱରିତ ଅନୁମୋଦନ ଲାଗି ଜାତୀୟ ନିୟନ୍ତ୍ରକ ମଞ୍ଜୁର କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ନିକଟ ଭବିଷ୍ୟତରେ ଟୀକାକରଣ ସଂକ୍ରାନ୍ତରେ କେନ୍ଦ୍ରର ପ୍ରସ୍ତୁତି ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଟୀକାକରଣ ନେଇ ଚାଲିଥିବା ଏହି ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଜନ ଭାଗିଦାରୀ ନୀତି; ନିର୍ବାଚନ ଅଭିଜ୍ଞତାର ବ୍ୟବହାର (ବୁଥ୍‍ସ୍ତରୀୟ ରଣନୀତି) ଏବଂ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅଭିଜ୍ଞତାକୁ ଉପଯୋଗ କରାଯାଇ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଜାରି ରହିଥିବା ସ୍ୱାସ୍ଥ୍ୟସେବା ବିଶେଷକରି ଜାତୀୟ କାର୍ଯ୍ୟକ୍ରମ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ କୌଣସି ବୁଝାମଣା ହେବନାହିଁ। ବୈଜ୍ଞାନିକ ଏବଂ ନିୟାମକ ମାନଦଣ୍ଡ, ଅନ୍ୟ ଏସ୍‍ଓପି ଉପରେ କୌଣସି ବୁଝାମଣା ହେବନାହିଁ। ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଏକ ବ୍ୟବସ୍ଥିତ ସହଜ ସିଦ୍ଧାନ୍ତ ଉପରେ ଏହାକୁ କାର୍ଯ୍ୟକାରୀ କରାଯିବ।

କୋଭିଡ଼-୧୯ ଟୀକାକରଣ ଅଭିଯାନରେ ପାଖାପାଖି ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ଅନ୍ୟ ରୋଗରେ ପୀଡ଼ିତ ୫୦ ବର୍ଷରୁ କମ ବୟସ୍କର ଜନସଂଖ୍ୟାଙ୍କୁ ମିଶାଇ ମୋଟ ୨୭ କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରାଯିବ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କୋ-ୱିନ ଟୀକା ବିତରଣ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ଏହି ଅଭିନବ ଡିଜିଟାଲ ପ୍ଲାଟଫର୍ମ ଟୀକା ମହଜୁଦର ବାସ୍ତବ ସମୟ ସୂଚନା, ଗଚ୍ଛିତ ଟୀକାର ତାପମାତ୍ରା ଏବଂ କୋଭିଡ-୧୯ ଟୀକା ନେଉଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ଟ୍ରାକିଂ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବ । ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀ, ସେମାନଙ୍କର ଯାଞ୍ଚ ଏବଂ ଟୀକାକରଣ ସଫଳ ହେବାପରେ ଡିଜିଟାଲ ପ୍ରମାଣପତ୍ର ବାହାର କରିବା ଲାଗି ଅଟୋମେଟିକ ଅଧିବେଶନ ଆବଣ୍ଟନ ଜରିଆରେ ସମସ୍ତ ସ୍ତରରେ ଯୋଜନା ପରିଚାଳକମାନଙ୍କୁ ସହାୟତା କରିବ। ଏହି ପ୍ଲାଟଫର୍ମରେ ୭୯ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକୃତ ହୋଇ ସାରିଛନ୍ତି ।

ଟୀକାଦାନ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଟୀକାକରଣକାରୀ ଏବଂ ଟୀକା ପରିଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଜାତୀୟ ସ୍ତରର ପ୍ରଶିକ୍ଷକ ପ୍ରଶିକ୍ଷଣ ସମୟରେ ୨୩୬୦ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଥିଲା ଯେଉଁଥିରେ ରାଜ୍ୟ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ୍‍ ଅଧିକାରୀ, ଆଇଇସି ଅଧିକାରୀ, ଉନ୍ନୟନ ସହଯୋଗୀ ଆଦି ରହିଥିଲେ ।୬୧ ହଜାରରୁ ଅଧିକ ଯୋଜନା ପରିଚାଳକ,  ୨ ଲକ୍ଷ ଟୀକାକରଣକାରୀ ଏବଂ ୩.୭ ଲକ୍ଷ ଅନ୍ୟ ଟୀକାକରଣ ଦଳର ସଦସ୍ୟଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ସମଗ୍ର ଦେଶରେ ଜାରି ରହିଥିବା ତିନି ପର୍ଯ୍ୟାୟ ଡ୍ରାଏ ରନ୍‍ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗତକାଲି ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଡ୍ରାଏ ରନ୍‍ ୩୩ ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୬୧୫ ଟି ଜିଲ୍ଲାରେ ୪୮୯୫ ଅଧିବେଶନ ସ୍ଥଳୀ ପରିଚାଳିତ ହୋଇଥିଲା ।

ବିସ୍ତୃତ ସମୀକ୍ଷା ପରେ ସ୍ଥିର ହୋଇଥିଲା ଯେ ଆଗକୁ ପଡୁଥିବା ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଜାନୁଆରୀ 16ରୁ କୋଭିଡ-19 ଟୀକାଦାନ ଆରମ୍ଭ ହେବ ।

Leave A Reply

Your email address will not be published.