-ଦୈନିକ ୩୦ ହଜାର ଶ୍ରଦ୍ଧାଳୁଙ୍କୁ ଅନୁମତି
-ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ
-ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା
-ଶ୍ରୀମନ୍ଦିରରେ ଅବଢ଼ା ଖାଇବା ମନା
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି । ଏହି ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ । ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ସୋମବାର ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତିନିୟମ ନିର୍ଦ୍ଧାରଣ କରାଯାଇଛି । ବର୍ତ୍ତମାନ ବାହାର ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ୁଥିବାବେଳେ ନୂଆ ନିୟମ ଅନୁସାରେ ଜାନୁଆରୀ ୨୧ ତାରିଖରୁ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ପଡ଼ିବ ନାହିଁ । ସେହିପରି ୨୧ ତାରିଖ ପରଠାରୁ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ବୋଲି ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ୨୧ ତାରିଖଠାରୁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ଅନୁମତି ମିଳିବ । ଅନ୍ୟ ସମୟରେ ସହରବାସୀ ଦର୍ଶନ କରିବାକୁ ଚାହିଁଲେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ । ଫେବ୍ରୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ବୈଠକରୁ ସୂଚନା ମିଳିଛି । ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ନୂଆ ନିୟମରେ ଅନୁମତି ଦିଆଯାଇ ନାହିଁ । ପୂର୍ବରୁ ମଧ୍ୟ ଅନୁମତି ମିଳି ନଥିଲା । ଅନ୍ୟପଟେ ବୟସ୍କ ବ୍ୟକ୍ତି ବା ବୃଦ୍ଧବୃଦ୍ଧାଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସ୍ୱତନ୍ତ୍ର ଧାଡ଼ିରେ ଦର୍ଶନ ଲାଗି ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ରବିବାର ଦିନ ଦର୍ଶନ ବନ୍ଦ ରହିବ । ଏହି ଛୁଟି ଦିନରେ ମନ୍ଦିରକୁ ସାନିଟାଇଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି ଦିନ ମନ୍ଦିରରେ ଦର୍ଶନ ପାଇଁ କାହାକୁ ଅନୁମତି ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ, କରୋନା ଲକ୍ଡାଉନ୍ ଯୋଗୁ ଦୀର୍ଘ ୯ ମାସ ପରେ ଗତ ଡିସେମ୍ବର ୨୩ରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଡିସେମ୍ବର ୨୬ରୁ ୩୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିଲା । ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ତେବେ ବାହାର ଜିଲ୍ଲାବାସୀଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା ।