ତାରାତାରିଣୀ: ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ତଥା ସବୁଠାରୁ ପ୍ରସିଦ୍ଧ ଓ ବୃହତ ଶକ୍ତି ପୀଠ ତାରାତାରିଣୀ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆ ବର୍ଷରେ ଜାନୁଆରୀ ୩ ତାରିଖ ଦିନ ଠାରୁ ଏହି ମନ୍ଦିରରେ ଜନସାଧାରଣ ମାଙ୍କ ଦର୍ଶନ ଓ ପୂଜାର ସୁଯୋଗ ପାଇବେ । ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଏଯାଏଁ ଏହି ମନ୍ଦିରରେ ଜନସାଧାରଣଙ୍କ ପ୍ରବେଶ, ପୂଜା ଓ ଦର୍ଶନ ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ମହାମାରୀ କରୋନା ମୁକାବିଲା ପାଇଁ ମା’ଙ୍କ ପୀଠରେ ହେଉଥିବା ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ମଧ୍ୟ ବାତିଲ କରାଯାଇଥିଲା । ପ୍ରାୟ ୩ ଶହ ଦିନର ବ୍ୟବଧାନ ପରେ ଭକ୍ତମାନେ ମା’ଙ୍କ ଦର୍ଶନ ପାଇବାର ସୁଯୋଗ ପାଇବା ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ମା’ଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କର ମନରେ ଖୁସି ଜାଗ୍ରତ ହୋଇଛି । ଏହା ସହିତ ଏହି ମନ୍ଦିରରେ ପୁରୁଷାନୁକ୍ରମେ ବିଭିନ୍ନ ସେବା ଯୋଗାଇ ଆସୁଥିବା ଶହ ଶହ ସେବାୟତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଦୀର୍ଘ ନଅ ମାସ ହେଲା ସମସ୍ତ ସେବାୟତମାନଙ୍କ ଆଦାୟର ଏକମାତ୍ର ମାଧ୍ୟମ ମା’ଙ୍କ ମନ୍ଦିର ବନ୍ଦ ରହିବା ହେତୁ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ଯାଇଥିଲା । ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ଏଣୁ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ଆବେଗ ଓ ସେବାୟତମାନଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଏହି ନିଷ୍ପତି ନେଇଛନ୍ତି । ତାହା ସହିତ ଯେଭଳି କୌଣସି ସ୍ଥିତିରେ କରୋନା ସଂକ୍ରମଣ ଯେଭଳି ମନ୍ଦିର ପରିସରକୁ ନ ବ୍ୟାପେ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିର ଖୋଲା ରହିଲେ ସୁଦ୍ଧା କୌଣସି ଭକ୍ତ ପୀଠ ଅଞ୍ଚଳ ବା ପାହାଡ ଉପରେ ଅଥବା ତଳେ ରନ୍ଧା ଅଥବା ପ୍ରସାଦ ସେବନ କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏଭଳି ଆୟୋଜନ କରନ୍ତି ସେମାନଙ୍କ ସମସ୍ତ ସାମଗ୍ରୀ ଜବତ କରିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ଆଜି ଛତ୍ରପୁର ଠାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାଇ ଦେଇଛନ୍ତି । ମନ୍ଦିର ପରିସରକୁ ଆସନ୍ତା ୩ ତାରିଖ ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ସଫା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାହାଡ ଉପରକୁ କୌଣସି ବ୍ୟକ୍ତିଗତ ଯାନ ବାହନ ଚଳାଚଳ କରିବ ନାହିଁ, କେବଳ ମନ୍ଦିର ଦ୍ୱାରା ପ୍ରଚଳିତ ବସ ଯୋଗେ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ପାହାଡ ଉପରେ ଥିବା ମନ୍ଦିରକୁ ଯାଇପାରିବେ । ପାହାଡ ତଳୁ ଉପରକୁ ଯିବା ପାଇଁ ବସ ଭଡା ପ୍ରଶାସନ ସ୍ଥିର କରି ଆଗୁଆ ଜନସାଧାରଣଙ୍କୁ ସୂଚାଇ ଦେବେ । ସମସ୍ତେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଥିବା ସହ ମନ୍ଦିର ପକ୍ଷରୁ ଭକ୍ତମାନଙ୍କୁ ଶୁଖିଲା ଭୋଗ ପ୍ୟାକିଂ କରି ଯୋଗାଇ ଦିଆଯିବ ଯାହାକୁ ଭକ୍ତମାନେ ସେଠି ନ ଖାଇ ନିଜ ଘରକୁ ନେଇ ଯିବେ । ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଅମୀୟ କୁମାର ସାହୁ,ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମନ୍ଦିର ପରିଚାଳନା କମିଟିର ପ୍ରମୋଦ ପଣ୍ଡା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି. କେ. ରେଡ୍ଡୀ, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ତହସୀଲଦାର ନୀତିଶ ତ୍ରିପାଠୀଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ତହସୀଲଦାର ନୀଳ ମାଧବ ଭୋଇ, ତାରାତାରିଣୀ ମନ୍ଦିର ସେବାୟତ ସଂଘର ସଭାପତି ତପନ ରଣା, ସମ୍ପାଦକ ବାପୁଜୀ ରଣା, ମିଟୁ ରଣା ଓ ଧ୍ରୁବ ଚରଣ ରଣା ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.