୬ ରୁ ୮ସପ୍ତାହ ମଧ୍ୟରେ ଆସିବ କରୋନାର ତୃତୀୟ ଲହର
ନୂଆଦିଲ୍ଲୀ : ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରକୋପ କମ୍ ହେବା ଭଳି ମନେ ହେଉଥିବା ବେଳେ ଏବେ ତୃତୀୟ ଲହର ଭୟ ଲୋକଙ୍କୁ ଡରାଇବାକୁ ଆରମ୍ଭ କରିଛି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ଆସନ୍ତା ୬ ରୁ ୮ ସପ୍ତାହ ମଧ୍ୟରେ ଅର୍ଥାତ ୨ ମାସ ମଧ୍ୟରେ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆସିପାରେ ।ଏକ ନ୍ୟୁଜ୍ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ଏମ୍ସ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦ୍ୱିତୀୟ ଲହରରେ ଭାରତରେ ଡାକ୍ତରଖାନାଗୁଡିକରେ ବେଡ୍ ଅଭାବ ସହିତ ଚିକିତ୍ସା ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଏମ୍ସ ମୁଖ୍ୟ ଆସନ୍ତା ୨ ମାସ ମଧ୍ୟରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛୁ । ପୁଣି ଥରେ କରୋନା ନିୟମ ପାଳନ କରିବାରେ ଅବହେଳା ଦେଖିବାକୁ ମିଳୁଛି । ଏମିତି ଲାଗୁଛି ଯେପରି ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଯାହା ଘଟିଥିଲା ସେଥିରୁ ଆମେ କିଛି ଶିଖିଲୁ ନାହିଁ । ପୁଣି ଭିଡ ଦେଖିବାକୁ ମିଳୁଛି । ଲୋକମାନେ ଏକାଠି ହେଉଛନ୍ତି । ଜାତୀୟ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ସମୟ ଲାଗିବ, କିନ୍ତୁ ଆସନ୍ତା ୬ରୁ ୮ ସପ୍ତାହ କିମ୍ବା କିଛି ସମୟ ପରେ ସଂକ୍ରମଣ ବଢିବାରେ ଲାଗିବ ।
ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ହେତୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ଏଥିମଧ୍ୟରୁ ୫୦ ପ୍ରତିଶତ ଭାରତ,ଆମେରିକା, ବ୍ରାଜିଲ, ଋଷ ଏବଂ ମେକ୍ସିକୋର । ସେହିଭଳି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଦ୍ୱାରା ୬୦ ହଜାର ୭୫୩ ଲୋକ ସଂକ୍ରମିତ ହୋଇଛନ୍ତି । ଏହାପରେ ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇ ୭ ଲକ୍ଷ ୬୦ ହଜାରକୁ ଖସିଆସିଛି ।
କଟକଣା ନ ମାନିଲେ ଶୀଘ୍ର ଆସିବ ତୃତୀୟ ଲହର: କୋର୍ଟ
ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସବୁଆଡ଼େ ଚର୍ଚ୍ଚା । ଅକ୍ଟୋବର ବେଳକୁ ଦେଶରେ କରୋନାର ତୃତୀୟ ଲହର ତାଣ୍ଡବ ରଚିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟରେ ତୃତୀୟ ଲହରକୁ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଲୋକମାନେ ଯଦି କରୋନା ପାଇଁ ଜାରି କଟକଣା ନ ମାନିବେ, ତା’ହେଲେ ଅକ୍ଟୋବର ପୂର୍ବରୁ ତୃତୀୟ ଲହର ଆସିବାର ଆଶଙ୍କା ରହିଥିବା ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଦିଲ୍ଲୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାରୁ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଲୋକମାନେ ମାସ୍କ ନ ପିନ୍ଧି ବୁଲାବୁଲି କରୁଛନ୍ତି । ଏହାକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।
କୋର୍ଟ କହିଛନ୍ତି ଏପରି କରୋନା ସଂକ୍ରମଣ ପାଇଁ ଜାରି କଟକଣାକୁ ଉଲଙ୍ଘନ କରିବା ଦ୍ୱାରା ତୃତୀୟ ଲହର ଆସିବାର ଆଶଙ୍କା ରହିଛି । କଟକଣା ନ ମାନିଲେ ତୃତୀୟ ଲହର ଶୀଘ୍ର ଆସିବ । ତେଣୁ କଟକଣା ଉଲଙ୍ଘନ କରିବାକୁ କେବେ ହେଲେ ବରଦାସ୍ତ କରାଯାଇ ପାରିବ ନାହିଁ । ଏଥିସହ କୋର୍ଟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଠାରୁ ଷ୍ଟାଟସ ରିପୋର୍ଟ ମଧ୍ୟ ମାଗିଛନ୍ତି ।
କରୋନାର ତୃତୀୟ ଲହରକୁ ରୋକିବା ପାଇଁ ସମସ୍ତଙ୍କୁ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ସେହିପରି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସମସ୍ତେ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏପ୍ରିଲ ଶେଷ ଓ ମେ’ ମାସରେ କରୋନାର ଦ୍ୱିତୀୟ ଲହର ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା । ଏବେ ଦୈନିକ ସଂକ୍ରମଣ ୨୦୦ ତଳକୁ ଚାଲି ଆସିଛି । ପଜିଟିଭିଟି ରେଟ୍ ମଧ୍ୟ ୦.୨% ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ହେଲେ ଅନଲକ ଆରମ୍ଭ ହେବା କ୍ଷଣି ବଜାର ଓ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।