୨ ଦିନିଆ ବ୍ୟାଙ୍କ୍ ଧର୍ମଘଟରେ ୪୦ହଜାର କୋଟି ଟଙ୍କାର କାରବାର ଟପ୍

174

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ,ଆତ୍ମନିର୍ଭରଶୀଳ ଅର୍ଥନୀତିକୁ ବିପନ୍ନ କରିବା ସହ ଜନସାଧାରଣଙ୍କ ସଂଚିତ ବିପୁଳ ପରିମାଣର ଦେଢ଼ଲକ୍ଷକୋଟି ଟଙ୍କାଜମା ରାଶିକୁ କର୍ପୋରେଟ୍ ବ୍ୟାଙ୍କଙ୍କ ହାତରେ ଟେକିଦେବା ବିରୁଦ୍ଧରେ ଡିସେମ୍ବର ୧୬ ଓ ୧୭ ଦୁଇଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳନ କରାଯାଇଛି । ଏଆଇବିଇଏ ସମେତ ଦେଶର ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଗଠନକୁ ନେଇ ଗଠିତ ୟୁଏଫ୍ବିୟୁର ଆହ୍ୱାନରେ ସାରା ରାଜ୍ୟରେ ଷ୍ଟେଟ୍ବ୍ୟାଙ୍କ ସମେତ ସମସ୍ତ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କର ସମସ୍ତ ୪୫୦୦ ରୁ ଉର୍ଦ୍ଧ୍ୱ ଶାଖା ଓ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ୨୦ ହଜାରରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ଓ ଅଫିସର ଅଂଶଗ୍ରହଣ କରିଛନ୍ତି ।

ଧର୍ମଘଟ ପ୍ରଭାବରେ ସମସ୍ତ କ୍ଲିୟରିଂ ହାଉସ୍ ବନ୍ଦ ରହିଥିବା ସମୟରେ ୪୦ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ବ୍ୟାହତ ହୋଇଛି । ଧର୍ମଘଟର ସଫଳତା ପାଇଁ ଏଆଇବିଇଏ ରାଜ୍ୟ ସଙ୍ଗଠନ ଏଓବିଇଏର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏବଂ ଏଆଈବିଓଏ ରାଜ୍ୟ କମିଟିର ସାଧାରଣ ସମ୍ପାଦକ ଅଜୟ କୁମାର ରାଉତରାୟ ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ ଶ୍ରମିକ, କର୍ମଚାରୀ, କୃଷକ ସଂଗଠନ ଓ ସାଧାରଣ ଜନତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଧର୍ମଘଟ ଉପଲକ୍ଷେ ଭୁବନେଶ୍ୱରଠାରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କର ଏକ ମିଳିତ ସମାବେଶ ଅଶୋକ ନଗରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସମ୍ମୁଖରେ ଉଭୟ ୧୬ ଓ ୧୭ ତାରିଖରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା ।

ଏହି ସମାବେଶରେ ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ତଥା ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ସୁର ଜେନା ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଉଭୟ ଦିନ ୟୁଏଫ୍ବିୟୁର ରାଜ୍ୟ ଆବାହକ ରଘୁନାଥ ପ୍ରସାଦ ଦାଶ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।

Leave A Reply

Your email address will not be published.