ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

159

୩ ଖଣି ରିଜର୍ଭ ଦାବିକୁ ମଞ୍ଜୁରି

ଭୁବନେଶ୍ୱର: ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଓଡ଼ିଶା ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟର ଖଣି ନିଲାମକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ଖଣି ନିଗମ ପାଇଁ ୩ଟି ଲୁହାପଥର ଖଣିକୁ ସଂରକ୍ଷିତ ରଖିବା ନିମନ୍ତେ କେନ୍ଦ୍ର ସରକାର ଅନୁମତି ଦେଇଥିବା ନେଇ ଶ୍ରୀ ଯୋଶୀ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଥିଲେ । ଏହି ୩ଟି ଖଣି ମଧ୍ୟରୁ ୨ଟି ଖଣି ଓଡ଼ିଶା ଖଣି ନିଗମ(ଓଏମସି) ଓ ଅନ୍ୟଟି ଓଏମଇସି ପାଇଁ ସଂରକ୍ଷିତ ରହିବ । ପୂର୍ବରୁ ରାଜ୍ୟର ୩ଟି ଖଣିକୁ ଓଏମ୍ସି ପାଇଁ ସଂରକ୍ଷିତ ରଖିବାକୁ ଓଡ଼ିଶା ଦାବି କରିଥିଲା । ଏହାବ୍ୟତୀତ ରାଜ୍ୟରେ କୋଇଲା ଖଣି ଓ ଅନ୍ୟାନ୍ୟ ଖଣିର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ପରାମର୍ଶ ଦେଇଛନ୍ତି । ଏହି ସାକ୍ଷାତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଓଡ଼ିଶା ଅନ୍ୟ କେତେକ ଦାବି ରଖିଥିବା ଜଣାପଡ଼ିଛି ।

୩୦ ହଜାର କୋଟି ନିବେଶ କରିବ ନାଲକୋ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି । ଗୁରୁବାର ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଜୋଶୀ ଏହା କହିଛନ୍ତି । ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ୍ ବ୍ଳକ ଓ ଉକ୍ରଳ ଡି ଏବଂ ଇ କୋଇଲା ଖଣିରୁ କୋଇଲା ଉତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ । ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ ପାୱାର ପ୍ଲାଣ୍ଟର ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ କରାଯିବ । ଏହି ସଂପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଏଥିରେ ୧୪୦୦ ମେଗାୱାଟ ଶକ୍ତି ସଂପନ୍ନ କ୍ୟାପଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା କରାଯିବ । ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ବା ଓଏମଇସିଏଲ ଏବଂ ଖଣିଜ ଉତ୍ତୋଳନ ନିଗମ ଲିମିଟେଡ୍ ବା ଏମ୍ଇସିଏଲ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ତଦନୁସାରେ ଓଏମ୍ଇସିଏଲ୍ ପାଇଁ ଏମଇସିଏଲ ଖଣିଜ ଉତ୍ତୋଳନ କରିବ । ଏହାଦ୍ୱାରା ରାଜ୍ୟରେ ଥିବା ଖଣିଜ ସଂପଦର ଉତୋଳନ ଓ ବିନିଯୋଗ ଦକ୍ଷତା ବଢିବ । ଏହା ମଧ୍ୟ ଖଣିଜ ପଦାର୍ଥର ସର୍ଭେ ଓ ଖନନରେ ସହାୟକ ହେବ ବୋଲି ଶ୍ରୀ ଜୋଶୀ କହିଛନ୍ତି । ଶ୍ରୀ ଜୋଶୀ କହିଛନ୍ତି ଯେ, ନାଲ୍କୋ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଗୁଳଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରୁଛି । ଏହା ଫଳରେ ସେହି ଅଂଚଳରେ ନିଯୁକ୍ତି ସୁବିଧା ବଢିବ ଏବଂ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହୋଇପାରିବେ । ଦେଶର ବକ୍ସାଇଟ ଉତ୍ପାଦନରେ ନାଲକୋର ଅବଦାନ ୩୨ ଶତାଂଶ । ସେହିଭଳି ଭାରତର ମୋଟ ଆଲୁମିନା ଉତ୍ପାଦନର ୩୩ ଭାଗ ଏବଂ ଆଲୁମିନିୟମ ଉତ୍ପାଦନର ୧୨ ଶତାଂଶ ନାଲକୋ ଦ୍ୱାରା ହୋଇଥାଏ । ସ୍ୱଳ୍ପ ମୂଲ୍ୟରେ ଆଲୁମିନା ଏବଂ ବକ୍ସାଇଟ ଉତ୍ପାଦନ କ୍ଷେତ୍ରରେ ନାଲ୍କୋ ବିଶ୍ୱର ୧ ନମ୍ବର କଂପାନୀଭାବେ ମାନ୍ୟତା ପାଇଛି । ପୃଥିବୀର ୧୫ରୁ ଅଧିକ ଦେଶରେ ନାଲକୋର କାରବାର ରହିଛି । ଦେଶର ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ ସିପିଏସସି କ୍ଷେତ୍ରରେ ନାଲକୋ ସର୍ବାଗ୍ରେ ଅଛି । କୋରାପୁଟ ଓ ଅନୁଗୁଳ ଜିଲାରେ ନାଲକୋର ପ୍ଲାଣ୍ଟ ରହିଛି ।

Leave A Reply

Your email address will not be published.