ଭୁବନେଶ୍ୱର: ରାଜ୍ୟରେ ଯେତିକି ସ୍ୱାସ୍ଥ୍ୟକର୍ମୀ ଟିକାନେବା ପାଇଁ ପଞ୍ଜିକୃତ ହୋଇଛନ୍ତି ତହିଁରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ତଥାପି ଆହୁରି ୬୯,୩୧୪ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ରହିଛନ୍ତି । ଆସନ୍ତାକାଲି ମଧ୍ୟ ଟିକାକରଣ ହେଉଥିବା ବେଳେ ଗୋଟିଏ ଦିନରେ ଏତେ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଏକପ୍ରକାର ଅସମ୍ଭବ । ତେଣୁ ଟିକାକରଣ ଅବଧିକୁ ଆହୁରି କିଛିଦିନ ପାଇଁ ବଢ଼ାଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।
ଆସନ୍ତାକାଲି ସୁଦ୍ଧା ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରିବା ଲାଗିଏହାକୁ ବୃଦ୍ଧି କରିବା ପାଇଁ ଯୋଜନା ହୋଇଛି । ଟିକାକରଣ ଅବଧିକୁ କେତେଦିନ ବଢ଼ାଯିବ ତାହା ସ୍ଥିର ହୋଇନଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ । ଆଜି ରାଜ୍ୟରେ ୯୧ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି । ୨୫୬ ଅଧିବେଶନରେ ୨୯,୨୬୯ ସ୍ୱାସ୍ଥ୍ୟକର୍ମୀ/ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୨୬,୫୨୯ ବ୍ୟକ୍ତି ଟିକା ନେଇଛନ୍ତି । ୧୦ଟି ଜିଲ୍ଲାରେ ଶତପ୍ରତିଶତ ଟିକାକରଣ କରାଯାଇଛି ।
ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଶହ ପ୍ରତିଶତରୁ ଅଧିକ ଲୋକ ଟିକା ନେଇଛନ୍ତି । କୌଣସି ବ୍ୟକ୍ତିଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏ ଯାଏଁ ରାଜ୍ୟରେ ୨ଲକ୍ଷ ୬୯ହଜାର ୩୮୬ଜଣ ସ୍ୱାସ୍ଥ୍ୟକର୍ମୀ ଓ ୭୨,୮୬୮ ଆଗଧାଡ଼ିର ଯୋଦ୍ଧା ଟିକା ନେଇ ସାରିଲେଣି । ପଞ୍ଜିକୃତ ୨ଲକ୍ଷ ୪ହଜାର ୪୬୯ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୩୬ ପ୍ରତିଶତ ଯୋଦ୍ଧା ଟିକା ନେଇଛନ୍ତି । ଗଞ୍ଜାମରେ ସର୍ବାଧିକ ୭୯୮୮ଜଣ, ମୟୂରଭଞ୍ଜ ୫୮୮୭, କୋରାପୁଟ ୪୬୭୮ ଓ ନୂଆପଡ଼ାରେ ୫୬୧ଜଣ ଟିକା ନେଇ ସାରିଲେଣି ।