ଭୁବନେଶ୍ୱର: ରାଜାଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଏମ୍ସି । କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧ରୁ ବୃହତ୍ ଟିକାକରଣ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ୱରରେ କରିବା ପାଇଁ ଟାର୍ଗେଟ ଦିଆଯାଇଛି ।
ବର୍ତ୍ତମାନ ଆମର ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି । ଷ୍ଟ୍ରିଟ୍ ଭେଣ୍ଡର, ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ,୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଓ ସେସୁ କର୍ମଚାରୀଙ୍କୁ ନେଇ ଆମେ ପାଖାପାଖି ୨୦ହଜାରରୁ ଅଧିକ ଲୋକଙ୍କ ଏକ ଲିଷ୍ଟ କରିଛୁ । ଆମର ଲକ୍ଷ୍ୟ ବର୍ତ୍ତମାନ ୧ ରୁ ୨ମାସ ଭିତରେ ସମସ୍ତଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବା । ବାଲାଜୀ ଆପାର୍ଟମେଣ୍ଟରୁ ପ୍ରଥମ ପର୍ଯ୍ୟାୟରେ ୩ଜଣ କରୋନା ଆକ୍ରନ୍ତ ଚିହ୍ନଟ ପରେ ଅନ୍ୟମାନଙ୍କ ଟେଷ୍ଟିଂ କରାଯାଉଛି ।
ଅଧିକ ଥିବା ଅନୁମାନ କରାଯାଉଛି ହେଲେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେହିଭଳି ଓଡିଏମ୍ ପବ୍ଲିକ୍ ସ୍କୁଲରେ ମଧ୍ୟ ଅନୁରୂପ ଭାବେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯେଉଁମାନେ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯାଇ ଟେଷ୍ଟିଂ ଆରମ୍ଭ ହୋଇଛି ।
ସେହିଭଳି ଓଡିଏମ୍ ସ୍କୁଲରୁ ମଧ୍ୟ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ୱରର ୨ରୁ ୩ ଜାଗାକୁ ସିଲ୍ କରିଛୁ । କଣ୍ଟେନମେଣ୍ଟ ଜୋନ୍ ଭଳି ସବୁ ବ୍ୟବସ୍ଥା ସହ ଏସବୁ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଇଛି । ରେଡ଼ ଫ୍ଲାଗ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଛି । ଯାହାର ନାହିଁ ସେମାନଙ୍କର ଟେଷ୍ଟିଂ କରି ସଙ୍ଗରୋଧରେ ରହିବାକୁ କୁହାଯାଉଛି । ହେଲେ ଏଦିଗରେ ରେଳଷ୍ଟେସନରେ କିଛିଟା ସମସ୍ୟା ଥିବା ସ୍ୱୀକାର କରିଛନ୍ତି ବିଏମ୍ସି କମିଶନର ।