ଭୁବନେଶ୍ୱର : ଆସନ୍ତାକାଲି (ମଙ୍ଗଳବାର) ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ଧାନ ଅମଳ ସମୟ ଥିବାରୁ ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରିଛି ଓୟୁଏଟି । ଓୟୁଏଟି ପକ୍ଷରୁ କୁହାଯାଇଛି ଯେ ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଆଣନ୍ତୁ । କଟା ଯାଇଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ଧାନକୁ ପଲିଥିନ ଘୋଡ଼ାଇ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ ପାଇଁ ନାଳି କରନ୍ତୁ । ଧାନ ଗଛ ପଡ଼ିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ବର୍ଷା ଛାଡ଼ି ଖରା ହେଲେ କେଣ୍ଡାକଟା ପୋକ ଲାଗିବା ସମ୍ଭାବନା ରହିଛି । ସବୁ ରବି ଫସଲ ବୁଣିବା ବା ଲଗାଇବା ସାମୟିକ ସ୍ଥଗିତ ରଖିବାକୁ ଓୟୁଏଟି ପରାମର୍ଶ ଦେଇଛି ।
ଅପରପକ୍ଷରେ ଲଘୁଚାପ ଓ ସମ୍ଭାବ୍ୟ ବର୍ଷାକୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ।
ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୨ ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।