ଭାରତର ଐତିହାସିକ ବିଜୟ ସହ ବ୍ରିସବେନ୍ ରେ ଉଡ଼ିଲା ତ୍ରିରଙ୍ଗା: ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ
-ନିଜ ମାଟିରେ ଧୂଳି ଚାଟିଲା କଙ୍ଗାରୁ ଟିମ୍
ବ୍ରିସବେନ୍: ଇତିହାସ ରଚିଲା ଭାରତ । ଚତୁର୍ଥ ତଥା ବ୍ରିସବେନ୍ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୩ ୱିକେଟ ସହ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଋଷଭ ପନ୍ଥଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିଛି । କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଋଷଭ ପନ୍ଥଙ୍କ ୮୯ ରନର ବିସ୍ଫୋରକ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ୩୨୮ ରନର ଟାର୍ଗେଟକୁ ପୂରା କରିଛି । ବ୍ରିସବେନ୍ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା ।
ଅନ୍ୟପଟେ ଶୁଭମନ ଗିଲ୍ ଚମକ୍ରାର ପ୍ରଦର୍ଶନ ସହ ୯୧ ରନ୍ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା ତାହା ହେଲା ନାହିଁ । ଦ୍ୱିତୀୟ ଇନିଂସ୍ରେ ମାତ୍ର ୭ରନ୍ କରି ଆଉଟ୍ ହୋଇଯାଇଥିଲେ । ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ । ଏଥିବ୍ୟତୀତ କ୍ୟାପ୍ଟେନ୍ ଅଜିଙ୍କ୍ୟା ରାହାଣେ ୨୪, ଚେତେଶ୍ୱର ପୂଜାରା ୫୬, ମୟଙ୍କ ଅଗ୍ରୱାଲ୍ ୯ରନ୍, ୱାଶିଂଟନ୍ ସୁନ୍ଦର ୨୯, ଶାର୍ଦୁଳ ଠାକୁର ୨ରନ୍ କରି ଆଉଟ୍ ହୋଇଥିଲେ । ପ୍ୟାଟ୍ କମିନ୍ସ ୫ଟି ୱିକେଟ୍ ନେଇଥିବାବେଳେ ନାଥନ୍ ଲିଓନ୍ ୨ଟି ୱିକେଟ୍ ହାସଲ କରିଛନ୍ତି ।