ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା,ଦଙ୍ଗାରେ ୪ ନିହତ, କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ

174

ୱାସିଂଟନ୍: ଆମେରିକା ରାଷ୍ଟ୍ରେପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଅନ୍ତିମ ସମୟରେ ଓ୍ୱାଶିଂଟନର ବ୍ୟାପକ ହିଂସା ଦେଖିବାକୁ ମିଳିଛି । ସହରର କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଧରି କ୍ୟାପିଟଲ ହିଲରେ ପ୍ରବେଶ କରିଥିଲେ । ଏଠାରେ ସେମାନେ ଭଙ୍ଗାରୁଜା କରିବା ସହ ସିନେଟରେ ମଧ୍ୟ ଆତଙ୍କ ଖେଳାଇଥିଲେ । କଂଗ୍ରେସର ଇଲୋକ୍ଟ୍ରାଲ କଲେଜ ବୈଠକ ପୂର୍ବରୁ ଟ୍ରମ୍ପ ସମର୍ଥକ ହଙ୍ଗାମା କରିଛନ୍ତି। ହେଲେ ଏହି ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି । ସୂଚନା ମୁତାବକ, ଏହି ବୖଠକ ପୂର୍ବରୁ ପୋଲିସ ଓ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ବେଳେ ଗୁଳିବାଜିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଛି । ବ୍ୟାରିକେଡ୍‌ ଲଗାଯାଇଥିବା ଏକ ଦ୍ବାର ଦେଇ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା ଆଉ ତିନିଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଦଙ୍ଗା ଘଟଣା ପରେ ପରେ ସମଗ୍ର ୱାସିଂଟନ୍‌ ଡିସିରେ ଜାରି କରାଯାଇଥିବା କର୍ଫ୍ୟୁ ଉଲ୍ଲଂଘନ କରି ସନ୍ଧ୍ୟା ୬ଟା ପରେ ରାସ୍ତାକୁ ବାହାରିଥିବା ୫୨ଜଣ ଲୋକଙ୍କୁ ପୁଲିସ ଗିରଫ କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର କେତେକ ନିଉଜ୍‌ ଚାନେଲ୍‌ ରିପୋର୍ଟ ଅନୁସାରେ, ସମର୍ଥକମାନେ କ୍ୟାପିଟଲ୍‌ରେ ଦଙ୍ଗା ଓ ଗଣ୍ଡଗୋଳ କରିଥିବା କାରଣରୁ ରାଷ୍ଟ୍ରପତି ଡୋନାଲ୍ଡ୍‌ଟ୍ରମ୍ପ୍‌ଙ୍କୁ ବହିଷ୍କାର କରିବାକୁ ତାଙ୍କ କ୍ୟାବିନେଟ୍‌ର ସଦସ୍ୟମାନେ ଆଲୋଚନା କରିଛନ୍ତି। ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ ବିଲ୍ଡିଂର ସୁରକ୍ଷା ଭଙ୍ଗ କରିଥିବା ନେଇ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି । ସେପଟେ ଏହି ହଙ୍ଗାମା ପରେ ଟୁଇଟର ଓ ଫେସ୍‌ବୁକ୍ ପକ୍ଷରୁ ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍‌ କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ରାଜଦ୍ରୋହ କହିବା ସହ ସମ୍ବିଧାନର ରକ୍ଷା କରିବାକୁ ଟ୍ରମ୍ପଙ୍କୁ ଆହ୍ୱାନ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍‌ । ସେହିପରି ଓ୍ୱାସିଂଟନରେ ଟ୍ରମ୍ପ ସମର୍ଥକଙ୍କ ହିଂସାକୁ ନେଇ ଚିନ୍ତାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକତନ୍ତ୍ରରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.