ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

180

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଓଡ଼ିଶାର ଆଉ ୪ଟି ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ସେବାୟତମାନେ ଅନୁରୋଧ କରିଥିଲେ। ଗତକାଲି ସେବାୟତଙ୍କ ଅନୁରୋଧ ରକ୍ଷା କରି ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ ଲାଗି ଅଧ୍ୟାଦେଶକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଅନ୍ୟ ୪ଟି ମନ୍ଦିରର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଯାଜପୁରର ମା’ ବିରଜା ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ମନ୍ଦିର, ଗଞ୍ଜାମର ମା’ ତାରା-ତାରିଣୀ ମନ୍ଦିର ଏବଂ ନୟାଗଡ଼ର ଶ୍ରୀନୀଳମାଧବ ମନ୍ଦିର ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟବାସୀଙ୍କ ବୃହତ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଭାବାବେଗ ସହ ଯୋଡ଼ି ହୋଇ ରହିଥିବା ଯାଜପୁର, ସମ୍ବଲପୁର, ଗଞ୍ଜାମ ଏବଂ ନୟାଗଡ଼ର ଏହି ପ୍ରତୀକାତ୍ମକ ମନ୍ଦିରଗୁଡ଼ିକ ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ପର୍ଯ୍ୟଟକଙ୍କ ଭିଡ ଜମୁଥିବା ସହ ଓଡ଼ିଶା ଇତିହାସରେ ଥିବା ଗୁରୁତ୍ବକୁ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୪ଟି ମନ୍ଦିର ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରର ଆଇନ ୧୯୫୫ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିରର ଆଇନ ଅଧ୍ୟାଦେଶ ୨୦୨୦ ରେ । ସେହିଭଳି ଆଉ ୪ଟି ପ୍ରସିଦ୍ଧ ମନ୍ଦିରର ଶାସନ ଏବଂ ପରିଚାଳନାରେ ସମାନ ଅଧ୍ୟାଦେଶ ଆଣିବାକୁ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୨ ତାରିଖରେ ଶ୍ରୀଲିଙ୍ଗରାଜ ମନ୍ଦିର ଗସ୍ତ କରି ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ସେତେବେଳେ ସେବାୟତମାନେ ପୁରୀ ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଅନୁରୋଧ କରିଥିଲେ। ତେବେ ସେବାୟତଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.