କାଲିଠୁ ଭୁବନେଶ୍ୱରରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ଟିକାକରଣ

168

-ପ୍ରସ୍ତୁତି ଅନୁଧ୍ୟାନ କଲେ ବିଏମସି କମିଶନର

ଭୁବନେଶ୍ୱର : ଆସନ୍ତାକାଲି (ସୋମବାର) ଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ । ଭାରତ ବାୟୋଟେକ୍‌ରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲିଠୁ ସ୍ଲଟ୍ ଆବଂଟନ ଆରମ୍ଭ ହୋଇଛି । ଯେଉଁମାନେ କୋୱିନ୍‌, ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ଆପ୍ ଜରିଆରେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସ୍ଲଟ୍ ମିଳିବ । ସେହି ଅନୁସାରେ ସୋମବାରଠାରୁ ଟିକା ଦିଆଯିବ । ଏହାପୂର୍ବର୍ରୁ ରବିବାର ଦିନ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ବିଭିନ୍ନ ଟିକାଦାନ କେନ୍ଦ୍ର ଯାଇ ଟିକାକରଣର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ଗତକାଲି ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାର ଡ୍ରାଏରନ କରାଯାଇଥିଲା ।

ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ୍ ରହିଛି । ଜୁନ୍ ମାସ ଶେଷ ସପ୍ତାହ କିମ୍ବା ଜୁଲାଇ ଭିତରେ ଏହି ବର୍ଗର ସମସ୍ତ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପାଇଁ ଯୋଜନା ରହିଛି । ସକାଳ ୮ଟାରୁ ଦିନ ଗୋଟାଏ ଯାଏ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ଟିକାକରଣ ହେବ ବୋଲି ଜଣାପଡ଼ିଛି । ତେବେ ଭୁବନେଶ୍ୱର ମହାନଗର ନିଗମକୁ ଛାଡି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କେବେଠାରୁ ଯୁବବର୍ଗଙ୍କ ଲାଗି ଟିକାକରଣ ଆରମ୍ଭ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଛି ।

Leave A Reply

Your email address will not be published.