-ଏକକାଳୀନ ୧୫ ଟି ସ୍ଥାନରେ ଚଢ଼ଉ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ସହିତ ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି । ରବିବାର ସକାଳ ୬ଟାରୁ ଏକକାଳୀନ ୧୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରାଯାଇଥିବା ସୂଚନା ମିଳିଛି ।
ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ଯେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଆୟ ବହିର୍ଭୂତ ସଂପଲି ଠୁଳ ଅଭିଯୋଗ ଆସିବା ପରେ ଏକ ଗୁପ୍ତ ଯାଂଚ କରାଯାଇଥିଲା । ଯାଂଚ ବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀ ଆୟ ବହିର୍ଭୂତ ସଂପତି ଠୁଳ କରିଥିବା ନେଇ ତଥ୍ୟ ମିଳିବା ପରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ୯.୧୨,୨୦୨୦ରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା । ଏହା ପରେ ୧୧.୧୨.୨୦୨୦ରେ ଲୋକାୟୁକ୍ତ ତାଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ୨୦୦୯ରୁ ୨୦୨୦ ମଧ୍ୟରେ ଶ୍ରୀ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସଂପତି ଠୁଳ କରିଥିଲେ । ଏହି ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା ।
ଲୋକାୟୁକ୍ତ ଏହି ରିପୋର୍ଟକୁ ଭଲ ଭାବେ ଯାଂଚ କରିଥିଲେ । ତା’ସହିତ ବିଧାୟକ ଶ୍ରୀ ପାଣିଗ୍ରାହୀ ରଖିଥିବା ପକ୍ଷକୁ ପରଖି ଥିଲେ । ଏସବୁ ପରେ ଲୋକାୟୁକ୍ତ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତକୁ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଏକ ସବିଶେଷ ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ୪.୧୦.୨୦୨୧ରେ ମାମଲା ରୁଜୁ କରାଗଲା । ଏହି ମାମଲାରେ ଚଢ଼ାଉ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଲୋକାୟୁକ୍ତ ଅନୁମତି ପ୍ରଦାନ କରିଥିଲେ । ଆଉ ସେହି ଅନୁସାରେ ଆଜି ବିଧାୟକ ଶ୍ରୀ ପାଣିଗ୍ରାହୀ, ତାଙ୍କ ସଂପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଜଣେ ଏସ୍ପି, ୨ ଜଣ ଅତିରିକ୍ତ ଏସ୍ପି ଓ ୧୭ ଜଣ ଡିଏସ୍ପିଙ୍କ ସହିତ ଅନ୍ୟମାନେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ଗତ ବର୍ଷ ଡିସେମ୍ବର ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିଲା । ଜାମିନ ପାଇବା ପରେ ଗତ ଜୁନ୍ ୧୨ ତାରିଖରେ ସେ ଜେଲ୍ ରୁ ମୁକୁଳି ଥିଲେ ।