ଲୋୟର ଶୁକତେଲ ଜଳ ପ୍ରକଳ୍ପ କାମ ଆରମ୍ଭ, ପୁନର୍ବାସ ଅସୁବିଧା ହୋଇପାରେ

158

ବଲାଙ୍ଗୀର : ବହୁ ବାଦବିବାଦ ପରେ ପୁଣି ଆରମ୍ଭ ହୋଇଛି ବଲାଙ୍ଗୀରର ଲୋୟର ଶୁକତେଲ ଜଳପ୍ରକଳ୍ପ କାମ । ସ୍ବପ୍ନର ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ୧୦ ହଜାର ୬୦୦ ପରିବାର ଭିଟାମାଟି ଛାଡୁଛନ୍ତି । ସରକାର ଏମାନଙ୍କୁ ଉଚିତ୍ ଥଇଥାନର ପ୍ରତିଶ୍ରୁତି ଦେଇ ବିସ୍ଥାପନ କାମ ଆରମ୍ଭ କରିଛନ୍ତି । ଏଥିପାଇଁ ସହର ମଧ୍ୟରେ ପୁନର୍ବାସ ଥଇଥାନ କଲୋନୀ ତିଆରି ହୋଇଛି । ଯେଉଁଥିରେ ବିସ୍ଥାପିତଙ୍କୁ ସରକାର ଜାଗା ଯୋଗାଇ ଦେଇଛନ୍ତି । ହେଲେ କେବଳ କଲୋନୀଟିଏ କରି ସରକାର ସବୁ ଦାୟିତ୍ବରୁ ହାତ ଧୋଇ ଦେଲା ଭଳି ଲାଗୁଛି । କାରଣ ବିସ୍ଥାପିତଙ୍କ ପାଇଁ ନା ସେଠାରେ ପକ୍କା ରାସ୍ତାଟିଏ ରହିଛି ନା ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା । କେବଳ ଏତିକି ନୁହେଁ, କଲୋନୀର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଏଠାରେ ଚୋରି ଡକାୟତି ବଢୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଲୋକେ ।

ଶୁକତେଲ ପ୍ରକଳ୍ପ କାମ ଆରମ୍ଭ ହୋଇଛି, ତେବେ ଏଥିରେ ବାଧକ ସାଜିପାରେ ବିସ୍ଥାପିତ ସମସ୍ୟା । ବଲାଙ୍ଗୀର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ୧୫ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏବଂ ୧୪ ଟି ଗାଁ ଆଂଶିକ ବୁଡିବ । ଏହି ପ୍ରକଳ୍ପରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଆନ୍ଦୋଳନ ଓ ଦାବି ଯୋଗୁଁ ୨୧ ବର୍ଷ ହେଲାଣି କାମ ଅଟକି ରହିଥିଲା । ହେଲେ ଶେଷରେ ସରକାର ଦାବି ପୂରଣର ପ୍ରତିଶ୍ରୃତି ଦେବା ପରେ ଲୋକ ଭିଟାମାଟି ଛାଡିଛନ୍ତି । ଏବେ ବି ୪ ଗାଁରେ ବିସ୍ଥାପନ ପ୍ରକ୍ରିୟା ଜାରି ରହିଛି । ହେଲେ ଏବେ ପୁଣି ବିସ୍ଥାପିତଙ୍କ ପ୍ରତି ସରକାରଙ୍କ ଅବହେଳା ପ୍ରକଳ୍ପ ବାଟରେ କଣ୍ଟା ହେବାକୁ ବସିଛି । କଲୋନୀରେ ରାସ୍ତାଘାଟ ଠୁ ଆରମ୍ଭ କରି ନାଳ ନର୍ଦ୍ଦମା ଯାଏଁ କ୍ଷେତ୍ରରେ ଲୋକେ ସମସ୍ୟା ଭୋଗୁଥିବାର ଅଭିଯୋଗ ଆସିଛି । ଏହାଛଡା ବିସ୍ଥାପିତ କଲୋନୀରେ ସ୍କୁଲ ଡାକ୍ତରଖାନା ଭଳି ସୁବିଧା ଏ ଯାଏଁ ସରକାର ଯୋଗାଇ ଦେଇ ନାହାନ୍ତି ବୋଲି ମଧ୍ୟ ଏମାନେ କହିଛନ୍ତି । ତେଣୁ ଏହିସବୁ ସୁବିଧା ଖୁବଶୀଘ୍ର ଯୋଗାଇ ଦେବାକୁ ବିସ୍ଥାପିତ ଦାବି କରିଛନ୍ତି । ଅନ୍ୟପଟେ ସରକାରଙ୍କ ପ୍ରତିଶ୍ରୃତି ଅନୁସାରେ ଥଇଥାନ ବ୍ୟବସ୍ଥା କରାଯାଉଥିବାର କହିଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ଯାହାସବୁ ଅଭିଯୋଗ ଆସୁଛି ତାହାର ଖୁବଶୀଘ୍ର ସମସ୍ୟା ସମାଧାନ ହେବ ଏବଂ ଏବେ ବି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବାକୁ କାର୍ଯ୍ୟ ଜାରି ରହିଥିବା ପ୍ରଶାସନ କହୁଛି । ବିସ୍ଥାପିତଙ୍କୁ ଉଚିତ୍ ଥଇଥାନ କରିବା ଆଇନ ଅନୁସାରେ ମଧ୍ୟ ଜରୁରୀ ଥିବାବେଳେ ଏହା ଏମାଙ୍କର ଅଧିକାର ମଧ୍ୟ । ତେଣୁ ସରକାର ସଠିକ୍ ଭାବେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥା କରି ବିସ୍ଥାପିତଙ୍କୁ ବ୍ୟବସ୍ଥିତ ସୁବିଧା ଯୋଗାଇ ଦେବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବାକୁ ମତପ୍ରକାଶ ପାଉଛି ।

Leave A Reply

Your email address will not be published.