ତେଲେଙ୍ଗାନାରେ ୧୦୦ଟି ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା

490

ବୁଲା ପଶୁଙ୍କ ପାଇଁ କାମ କରୁଥିବା ଜଣେ ସାମାଜିକ କର୍ମୀଙ୍କ ଅନୁସାରେ ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ ୧୦୦ରୁ ଅଧିକ ବୁଲା କୁକୁରମାନଙ୍କୁ ସାମୁହିକ ଭାବେ ହତ୍ୟା କରାଯାଇଛି । ସିଦ୍ଦିପେଟ ଜିଲ୍ଲାର ଜଗଦେବପୁର ମଣ୍ଡଳରେ ଥିବା ଥିଗୁଲ ଗାଁର ସରପଞ୍ଚ ଓ ସମ୍ପାଦକ ଜଣେ ବୃତ୍ତିଗତ କୁକୁର ଧରୁଥିବା ଲୋକ ଦ୍ୱାରା ବୁଲା କୁକୁରମାନଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇ ମାରି ଦେଇଛନ୍ତି ।ଏପରି ଘଟଣା ମାର୍ଚ୍ଚ ୨୭ ତାରିଖ ଦିନ ଘଟିଛି। ଏଠାରେ ଜଣେ ଗ୍ରାମବାସୀ ହାଇଦ୍ରାବାଦର ଗୋଟିଏ ଏନଜିଓକୁ ଏହି ବିଷୟରେ ଜଣାଇବା ପରେ ସୋମବାର ଜିଲ୍ଲା କର୍ତ୍ତୃପକ୍ଷଙ୍କ ପାଖରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଛି । ଗୌତମ କୁମାର ନାମକ ଜଣେ ସାମାଜିକ କର୍ମୀ ସିଦ୍ଦିପେଟର ଜିଲ୍ଲାପଳ ଓ ପୋଲିସ କମିଶନରଙ୍କ ପାଖରେ ଏନେଇ ଅଭିଯୋଗ ଦାଖଲ କରି ଏହି ଘଟଣାରେ ସମ୍ପୃକ୍ତ ବ୍ଯକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ଅଭିଯୋଗକାରୀଙ୍କ ଅନୁସାରେ ଗୋଟିଏ ୬ ବର୍ଷର ପୋଷା କୁକୁର ମୃତ୍ୟୁର ସୂଚନା ମିଳିବା ପରେ ବୁଲାକୁକୁରଙ୍କ ସାମୁହିକ ହତ୍ୟାର ପର୍ଦ୍ଦାଫାସ ହୋଇଛି। କର୍ମୀଜଣଙ୍କ ପୋଷା କୁକୁର ମୃତ୍ୟୁର କାରଣ ଜାଣିବା ପାଇଁ ସେହି ଗାଁକୁ ଯାଇଥିଲେ। ବିଷାକ୍ତ ପ୍ରକ୍ରିୟା ଯୋଗୁଁ ସେଠାରେ ପୋଷା କୁକୁର ସହିତ ଅନ୍ୟ ବୁଲା କୁକୁରମାନଙ୍କ ମୃତ୍ୟୁ ହୋଇଛି ବୋଲି ସେ ଜାଣିବାକୁ ପାଇଥିଲେ । ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଏପରି କୁକୁରମାନଙ୍କୁ ମାରି ଦିଆଯିବା ଘଟଣା ବିଷୟରେ ସେ ସ୍ପଷ୍ଟ ହୋଇଥିଲେ।

କୁକୁରମାନଙ୍କୁ ହତ୍ୟା କରି ଗାଁରେ ଥିବା ଏକ ପୁଣା କୂଅରେ ଫିଙ୍ଗି ଦିଆଯାଇଥିଲା। ଠିକ ତିନିବର୍ଷ ପୂର୍ବେ ସେଠାରେ ୨୦୦ଟି ବୁଲା କୁକୁରମାନଙ୍କୁ ଏପରି ଭାବେ ହତ୍ୟା କରାଯାଇଥିଲା ବୋଲି ସାମାଜିକ କର୍ମୀଙ୍କୁ ସେହି ଗାଁର ଲୋକମାନେ କହିଛନ୍ତି ।

ସ୍ଥାନୀୟ ପୋଲିସ ସେହି ଗାଁର ସରପଞ୍ଚ ଓ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ଗ୍ରହଣ ନକରିବାରୁ ସାମାଜିକ କର୍ମୀ ଜଣଙ୍କ ସିଦ୍ଦିପେଟ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ। ଜିଲ୍ଲାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମାଜିକ କର୍ମୀଙ୍କୁ ଆଶ୍ୱାସନା ଦିଆଯାଇଛି।

‘ପିପୁଲ୍ସ ଫର ଏନିମାଲ୍ସ ଇଣ୍ଡିଆ’ କୁକୁରମାନଙ୍କର ଏହି ସାମୁହିକ ହତ୍ୟାକୁ ଦୃଢ଼ ନିନ୍ଦା କରିଛି । କୂଅରେ ପଡ଼ିଥିବା କୁକୁରମାନଙ୍କର ମୃତଦେହର ଏକ ଭିଡିଓ ‘ପିପୁଲ୍ସ ଫର ଏନିମାଲ୍ସ ଇଣ୍ଡିଆ’ ଟୁଇଟରରେ ପୋଷ୍ଟ କରିଛି। ଏହି ସଙ୍ଗଠନ ଲୋକମାନଙ୍କୁ ଏହି ଘଟଣାରେ ଅଭିଯୋଗ କରିବା ପାଇଁ ଆହ୍ୱାନ କରିଛି ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କୁ ସେହି ଗାଁର ସରପଞ୍ଚଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ।

ସିଦ୍ଦିପେଟ ଜିଲ୍ଲାରେ କୁକୁରମାନଙ୍କର ସାମୁହିତ ହତ୍ୟା ଘଟଣା କିଛି ନୂଆ ନୁହେଁ। ଏହାପୂର୍ବରୁ ସିଦ୍ଦିପେଟ ସହରରେ ନଗରପାଳିକା କର୍ମଚାରୀଙ୍କ ଦ୍ୱାରା ୨୦୦ଟି ବୁଲା କୁକୁରଙ୍କୁ ସାମୁହିକ ହତ୍ୟା କରାଯାଇଥିଲା। ଯାହାକି ପଶୁ ପ୍ରେମୀଙ୍କ ମଧ୍ୟରେ ଅକ୍ରୋଶର କାରଣ ପାଲଟିଥିଲା।

Leave A Reply

Your email address will not be published.