ନେତାଜୀ ଜୟନ୍ତୀରେ ମୁହାଁମୁହିଁ ମୋଦୀ-ମମତା

686

କୋଲକାତା: ପରାକ୍ରମ ଦିବସରେ ନିଜ ନିଜର ପରାକ୍ରମ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗୋଟିଏ ମଞ୍ଚରେ ବସିଲେ,ଏକାଠି ବୁଲିଲେ । ହେଲେ ପରାକ୍ରମ ଦିବସ ଆଢୁଆଳରେ ନିଜ ନିଜର ପରାକ୍ରମ ଦେଖାଇବାକୁ ଭୂଲିନଥିଲେ । ଜାତୀୟସ୍ତରରେ ହେଉଥିବା ପରାକ୍ରମ ଦିବସରେ ଭାଷଣ ଦେଲେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ଭାଷଣ ପୂର୍ବରୁ ଦର୍ଶକ ମହଲରୁ ‘ଜୟ ରାମ’ସ୍ଲୋଗାନ୍ ଶୁଭିଥିଲା । ଯାହାକୁ ନେଇ ବିଗିଡି ଯାଇଥିଲେ ଦିଦି ।

ସରକାରୀ କାର୍ଯ୍ୟକ୍ରମକୁ ଡାକି ଏଭଳି ଅସମ୍ମାନ କରିବା ଶୋଭା ପାଏନି ବୋଲି ଦିଦି କହିଥିଲେ । କୋଲକାତାରେ ମୋଦୀ ପହଞ୍ଚିବା ପୂର୍ବରୁ ଆଜି ୯କିମି ପଦଯାତ୍ରାରେ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମମତା । କେନ୍ଦ୍ର ସରକାରଙ୍କ ପରାକ୍ରମ ଦିବସ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ପରାକ୍ରମ ଦିବସର ଅର୍ଥ କ’ଣ ବୋଲି ପଚାରିବା ସହ କାହିଁକି ଦେଶନାୟକ ନାମକରଣ ହେଲାନି ବୋଲି କହିଥିଲେ ।

ସମଗ୍ର ଦେଶ ନେଜାତୀଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରୁଥିବା ବେଳେ ପଶ୍ଚିମବଙ୍ଗ ସରକାର ଦେଶନାୟକ ଦିବସ ଭାବେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କିନ୍ତୁ ଉଦ୍ବୋଧନ ଦେବା ବେଳେ ମାପିଚୁପି ଭାଷଣ ଦେଇଥିଲେ । ସେ ନେତାଜୀଙ୍କ ସଂକଳ୍ପ ଓ ପରାକ୍ରମ ଆଢୁଆଳରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଓ ସଂକଳ୍ପ କଥା କହିବାକୁ ଭୁଲିନଥିଲେ ।

ଏଲଏସିରୁ ଏଲଓସି ପର୍ଯ୍ୟନ୍ତ ଭାରତର ପରାକ୍ରମ ଦୁନିଆ ଦେଖିଲା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣରେ କହିଥିଲେ । ଏଥିସହିତ ନେତାଜୀଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟ ଆମ ପାଇଁ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

ନାରାବାଜିକୁ ନେଇ ରାଗି ଗଲେ ଦିଦି: ଭାଷଣ ଦେବାକୁ ମନା କଲେ

କୋଲକାତା: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ମଞ୍ଚରେ ଭାଷଣ ଦେବାକୁ ମନା କରିଦେଇଛନ୍ତି ମମତା । ମଞ୍ଚରେ ଭାଷଣ ଦେବାକୁ ମମତା ବାନାର୍ଜୀ ପହଞ୍ଚିଥିବା ବେଳେ ନାରାବାଜି ଆରମ୍ଭ ହୋଇଥିଲା । କାହାକୁ ଡାକି ଏଭଳି ଅପମାନ କରିବା ଠିକ୍ ନୁହେଁ କହିବା ସହ ଭାଷଣ ଦେବାକୁ ମନା କରିଦେଇଥିଲେ ମମତା ବାନାର୍ଜୀ । ସୂଚନା ଅନୁସାରେ ଭାଷଣ ଦେବାକୁ ମମତା ବାନାର୍ଜୀ ମଞ୍ଚରେ ପହଞ୍ଚିବା ପରେ “ଜୟ ଶ୍ରୀରାମ’ ଓ “ମୋଦୀ’ ନାରା ଲଗାଇଥିଲେ ଉପସ୍ଥିତ ଜନତା ।

ଏହାକୁ ନେଇ ରାଗିଯାଇଥିଲେ ଦିଦି । ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ସରକାରୀ କାର୍ଯ୍ୟକ୍ରମ । ତେଣୁ କାର୍ଯ୍ୟକ୍ରମକୁ ଡାକି ଏଭଳି ଅପମାନ କରିବା ଠିକ୍ ନୁହେଁ ବୋଲି ମମତା କହିବା ସହ ଭାଷଣ ଦେବାକୁ ମନା କରି ଫେରିଆସିଥିଲେ । କିନ୍ତୁ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ ମମତା । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବେଙ୍ଗଲରେ ଦିଦି ଓ ମୋଦୀ ଏକାଠି ହୋଇଛନ୍ତି । ଏହା ସହ ବେଙ୍ଗଲ ରାଜନୀତିରେ ହଟଚମଟ ଜାରି ରହିଛି ।

ପରାକ୍ରମ ଦିବସ ପାଳନ ପାଇଁ ପ୍ରଧାନମବୀ ନରେନ୍ଦ୍ର ମୋଦୀ କୋଲକାତା ଗସ୍ତ କରିଛନ୍ତି । ପ୍ରଥମେ କୋଲକାତାର ନ୍ୟାସନାଲ ଲାଇବ୍ରେରୀ ପହଞ୍ଚି ଅନେକ କଳାକାର ଏବଂ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଝିଅ ଅନିତା ବୋଷ କହିଛନ୍ତି, “୧୨୪ ବର୍ଷ ପୂର୍ବେ ଭାରତର ସୁପୁତ୍ର ତଥା ମୋର ପିତା ସୁବାଷ ଚନ୍ଦ୍ର ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ୧୨୫ ତମ ଜନ୍ମ ଜୟନ୍ତୀରେ ତାଙ୍କୁ ସମ୍ନାନିତ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଜଣାଉଛି’ ।

ନେତାଜୀଙ୍କ ତ୍ୟାଗ ଯୁବବର୍ଗଙ୍କ ପାଇଁ ପ୍ରେରଣା

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆଲ୍ ମେମୋରିଆଲରେ ଆୟୋଜିତ ଭବ୍ୟ ସମାରୋହରେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ଅଭିଭାଷଣରେ ସେ କହିଥିଲେ,କୋଲକାତା ଆସିବା ମୋ ପାଇଁ ଏକ ଭାବବିହ୍ୱଳ ମୁହୂର୍ତ୍ତ । ନେତାଜୀଙ୍କ କର୍ମଭୂମି ବଙ୍ଗର ମାଟି ଅତ୍ୟନ୍ତ ପବିତ୍ର । ଏହି ମାଟିକୁ ମୁଁ ଦେଶବାସୀଙ୍କ ପକ୍ଷରୁ ପ୍ରଣାମ ଜଣାଉଛି । ଏହି ମାଟି ଦେଶର ଆଧ୍ୟାତ୍ମିକ, ସାହିତ୍ୟ, ବିଜ୍ଞାନ ଏବଂ ସାମାଜ ସଂସ୍କାର କ୍ଷେତ୍ରକୁ ବହୁ ମହାପୁରୁଷଙ୍କୁ ପ୍ରଦାନ କରିଛି । ଏହି ବଙ୍ଗମାଟି ଦେଶକୁ ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରଗୀତ ଦେଇଛି ବୋଲି ନିଜ ଭାଷଣରେ କହିଥିଲେ ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ସେ ବିଶ୍ୱକବି ରବିନ୍ଦ୍ରନାଥ ଏବଂ ବଙ୍କିମଚନ୍ଦ୍ରଙ୍କୁ ସ୍ମରଣ କରିଥିଲେ । ନେତାଜୀଙ୍କ ଜୟନ୍ତୀ ଅବସରରେ ନିଜର ଅଭିଭାଷଣ ଦେଇ ମୋଦୀ କହିଥିଲେ ଆଜିର ଦିନରେ କେବଳ ନେତାଜୀଙ୍କର ନୁହେଁ, ଦେଶର ଆତ୍ମଗୌରବର ଜନ୍ମ ହୋଇଥିଲା । ଏହାସହ ସେ ନେତାଜୀଙ୍କ ବିଷୟରେ କହିବା ପାଇଁ ସବୁ ଶବ୍ଦ ବି କମ୍ ପଡ଼ିବ ବୋଲି ବ୍ୟକ୍ତବ୍ୟ ରଖିବା ସହ ପ୍ରତିବର୍ଷ ନେତାଜୀଙ୍କ ଜନ୍ମଦିନ ଅର୍ଥାତ ଜାନୁଆରୀ ୨୩କୁ ପରାକ୍ରମ ଦିବସ ଭାବେ ଦେଶ ପାଳନ କରିବ ବୋଲି ଘୋଷଣା କରିଛନ୍ତି ।

ଏଥିସହ ସେ କହିଥିଲେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ପୃଥିବୀକୁ ଆଚ୍ଛାଦିତ କରି ରଖିଥିଲା ସେ ସମୟରେ କାବୁଲର ରାଜରାସ୍ତାରେ ଘୁରିଘୁରି ବିଭିନ୍ନ ଦେଶର ଦୂତାବାସରୁ ଦୂତାବାସକୁ ଯାଉଥିଲେ ଏବଂ ଭାରତର ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲାଗି ବିଦେଶୀ ସମର୍ଥନ ଓ ସହାୟତା ଲୋଡୁଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଯୁବପିଢ଼ି ଆତ୍ମନିର୍ଭର ହୁଅନ୍ତୁ ବୋଲି ଆହ୍ୱାନ ଜଣାଇଥିଲେ ମୋଦୀ ।

ଯୁବପିଢ଼ି ନେତାଜୀଙ୍କଠାରୁ ନିଜ ଦେଶପାଇଁ ଉତ୍ସର୍ଗୀକୃତ ମନୋଭାବ ଶିକ୍ଷା କରିବା ଉଚିତ । ଦେଶର ସ୍ୱାଧୀନତା ପ୍ରାପ୍ତି ପାଇଁ ନେତାଜୀଙ୍କ ଅବଦାନ ଲାଗି ଦେଶ କୃତଜ୍ଞ ରହିଛି ଓ ରହିବ ମଧ୍ୟ । ଦେଶର ପ୍ରତ୍ୟେକ ନାଗରିକ ତାଙ୍କ ନିକଟରେ ଋଣୀ ହୋଇ ରହିବ । ନେତାଜୀଙ୍କ ବିଷୟରେ କହି ବସିଲେ ରାତି ପରେ ରାତି ବିତିଯିବ ବୋଲି ମୋଦୀ ତାଙ୍କ ଭାଷଣରେ କହିଛନ୍ତି ।

Leave A Reply

Your email address will not be published.