ମୋଟୁରେ ଧୀରେ ଧୀରେ କମୁଛି ବନ୍ୟା ଜଳ, ୬ ଦିନ ହେଲା ୩୨୬ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ବନ୍ୟା ଜଳ

157

ମାଲକାନଗିରି, ୧୭ ଜୁଲାଇ – ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ଜନିତ କ୍ଷୟକ୍ଷତିକୁ ଅଧିକ ବଢ଼ାଇ ଦେଉଛି ଆନ୍ଧ୍ର ସରକାରଙ୍କ ( ଇନ୍ଦିରା ସାଗର ଡ୍ୟାମ୍ ) ପୋଲାଭରମ ପ୍ରକଳ୍ପ । ବିଶେଷ କରି ଆନ୍ଧ୍ର ଏବଂ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ବାରମ୍ବାର ବନ୍ୟା ଯୋଗୁଁ ଛାରଖାର ହୋଇ ଚାଲିଛି। ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବର୍ଷା କମି ଯାଇଥିଲେ ସୁଦ୍ଧା ବନ୍ୟା ପାଣି ନିଷ୍କାସନ ନ ହୋଇ ସ୍ଥିର ରହିଛି । ଏପରିକି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ମାଡ଼ି ଚାଲିଛି ବନ୍ୟାଜଳ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ମୋଟୁ ମୁଗି ପଏଣ୍ଟ ସ୍ଥିତ ମଧୁସୂଦନ ପାର୍କ ଉପରେ ଆଜି ୨୦ ଫୁଟ ଉଚ୍ଚରେ ପାଣି ରହିଛି । ପ୍ରତିବର୍ଷ ବନ୍ୟାଯୋଗୁଁ ଏହି ଅଞ୍ଚଳ ବନ୍ୟାର ସମ୍ମୁଖୀନ ହୋଇ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । କାରଣ ଦୁଇପାର୍ଶ୍ଵ ଦେଇ ବୋହି ଯାଉଥିବା ସିଲେରୁ ଓ ସାବେରୀ ନଦୀର ପ୍ରଖର ସ୍ରୋତରେ ମାଟି ଧୋଇହୋଇ ବଡ଼ ବିପଦ ସୃଷ୍ଟି କରିଛି । ଏପରିକି ଏଥର ବନ୍ୟାରେ ମୁଗି ପଏଣ୍ଟ ଠାରୁ ପ୍ରାୟ ଦୁଇ କିମି ଦୂରରେ ଥିବା ମୋଟୁ ବଜାର ପର୍ଯ୍ୟନ୍ତ ବନ୍ୟାପାଣି ମାଡ଼ି ଆସିଛି । ଚଳିତ ବର୍ଷ ମୋଟୁ ପାଇଁ ବର୍ଷା ପ୍ରଳୟ ନେଇ ଆସିଥିବା କୁହାଯାଉଛି । ମୋଟୁ ପୁରୁଣା ବସ୍ତି ସଂପୂର୍ଣ୍ଣ ବୁଡ଼ିଯିବାରୁ ଏଠାରେ ବସବାସ କରୁଥିବା ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେହିପରି ନୂଆ ମୋଟୁ ଓ ବିନାୟକପୁର ଗ୍ରାମର ମୋଟ ୫୦ ପରିବାରକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମୋଟୁ ସ୍ଥିତ ଆଶ୍ରମ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ମଧୂସୂଦନ ହାଇସ୍କୁଲର ୩ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ପୁସୁ ଗୁଡ଼ା ଓ ଏମଭି – ୮୮ ବିଦ୍ୟାଳୟରେ ରଖିବା ବ୍ୟବସ୍ଥା କରାଯାଇଛି । ବନ୍ୟା ବିପନ୍ନଙ୍କ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ପୂର୍ବରୁ ୧୯୮୬ ଓ ୨୦୦୬ ମସିହାରେ ଏଭଳି ବନ୍ୟା ପରିସ୍ଥିତି ମୋଟୁରେ ଦେଖିବାକୁ ମିଳିଥିଲା । ୧୬ ବର୍ଷର ବ୍ୟବଧାନ ପରେ ସମାନ ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଏକାକାର ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ପୋଲଭରମ ପ୍ରକଳ୍ପକୁ ବାରମ୍ବାର ବିରୋଧ ସତ୍ତ୍ଵେ କାମ ଆଗେଇ ଚାଲିଥିଲା। ପ୍ରକଳ୍ପର ପ୍ରଭାବ ଓଡ଼ିଶାର କେଉଁ ଅଞ୍ଚଳରେ ପଡ଼ିବ ଏବଂ କେତେ କ୍ଷୟକ୍ଷତି ହେବ ତାହାର ଆଦୌ ସର୍ଭେ ହୋଇନାହିଁ । ପ୍ରକଳ୍ପ ବାବଦରେ ବାରମ୍ବାର ପ୍ରଭାବିତ ହେଉଥିବା ଗ୍ରାମବାସୀଙ୍କ ସହ ଆଲୋଚନା କିମ୍ବା ଜନଶୁଣାଣି ହୋଇନାହିଁ । ଯାହାଫଳରେ ଅନେକ ଅଞ୍ଚଳ ବୁଡ଼ିଯାଇ ବର୍ତ୍ତମାନ ବନ୍ୟାର ପରିଣାମ ଓଡ଼ିଶାବାସୀ ଭୋଗୁଛନ୍ତି । ପୋଲାଭରମ ପ୍ରକଳ୍ପ କେବଳ ଓଡ଼ିଶାକୁ ପ୍ରଭାବିତ କରିନି । ଆନ୍ଧ୍ରର ଚିନ୍ତୁର ମଣ୍ଡଳରେ ଥିବା ଅନେକ ଗ୍ରାମରେ ବିପୁଳ କ୍ଷୟକ୍ଷତି ହୋଇଛି । କାଲେରୁ ଗ୍ରାମର ଶତାଧିକ ଘର ସଂପୂର୍ଣ୍ଣ ବୁଡ଼ି ଯାଇଛି। ରାଞ୍ଚି – ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଜିଲ୍ଲାର ମୋଟୁ ଦେଇ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ୬ ଦିନ ହେଲା ଜଳମଗ୍ନ ହୋଇ ଯାତାୟାତ ଠପ୍ ହୋଇଯାଇଛି । କାଲେରୁ ଓ କୁଇଗୁର ପୋଲ ଉପରେ ଆଜି ମଧ୍ୟ ୧୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଉଭୟ ପଟେ ଶହଶହ ଗାଡ଼ି ୬ ଦିନ ହେଲା ଅଟକି ରହିଛି । ମୋଟୁ ସୀମାନ୍ତ ଆନ୍ଧ୍ରର କାଲେରୁ ବ୍ରିଜ ନିକଟରେ ଏକ ହୋଟେଲରେ କାମ କରିବାକୁ ଆସି ଅନୁଗୁଳ ଜିଲ୍ଲାର ଚାରି ଜଣ ଯୁବକ ଫସି ରହିଥିବା ଖବର ପାଇ ମୋଟୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଓଡ୍ରାଫ ଟିମ ଜାଣିବା ପରେ ତୁରନ୍ତ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ସେମାନଙ୍କୁ ଉଦ୍ଧାର କରି ଆଣିଥିଲେ। ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବନ୍ୟାରେ ଫସିଥିବା ଆନ୍ଧ୍ରର ଚିନ୍ତୁର ମଣ୍ଡଳର କିଛି ଗ୍ରାମରେ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି। ଯେଉଁଠି ବନ୍ୟା ଘରରେ ଥିବା ଲୋକଙ୍କ ନିକଟରେ ଆନ୍ଧ୍ର ପ୍ରଶାସନ ପହଞ୍ଚି ପାରିନାହିଁ ସେଠାରେ ଓଡିଶାର ସହାୟତା ପାଇଁ ଗ୍ରାମବାସୀ ମାନେ କୃତଜ୍ଞତା ଜଣାଇଥିଲେ। ଗୋଦାବରୀ ନଦୀର ଜଳସ୍ତର ଗତକାଲି ବିପଦ ସଂକେତ ଠାରୁ ୧ ୮ ଫୁଟ ଉପରେ ଥିଲା ତାହା ଆଜି କମି ୧୦ ଫୁଟରେ ରହିଛି। ଫଳରେ ମୋଟୁ ଅଞ୍ଚଳରେ ଆଜି ଦିନ ୧ ଟା ସୁଦ୍ଧା ୨ ଫୁଟ ବନ୍ୟା ପାଣି କମିଥିବା ଜଣାପଡିଛି। ପଡୋଶୀ ରାଜ୍ୟ ଛତିଶଗଡର ସୁକୁମା ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ସ୍ଥାନୀୟ ବିଧାୟକ ଆସି ବୁଝିଥିଲେ। ହେଲେ ମୋଟୁ ଅଞ୍ଚଳରେ ବନ୍ୟା ଯୋଗୁଁ ଶତାଧିକ ଲୋକ ନାନା ଅସୁବିଧାରେ ରହିଥିଲେ ବି ଆଜି ପର୍ଯ୍ୟନ୍ତ ସେମାନଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ନିକଟକୁ ମାଲକାନଗିରି ବିଧାୟକ କି ସାଂସଦ ଆସିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।

Leave A Reply

Your email address will not be published.