ସ୍ଵାଧୀନତାର ମୂଲ୍ୟକୁ ଅକ୍ଷୁର୍ଣ୍ଣ ରଖି ଶାନ୍ତି ଓ ପ୍ରଗତିକୁ ଆଗେଇ ନେବା : ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ

153

ପୁରୀ, ୧୫ ଅଗଷ୍ଟ – ସ୍ଵାଧୀନତା ସ୍ଵେଛାଚାରିତା ନୁହେଁ। ଏହା ଶୃଙ୍ଖଳା, ସଦାଚାର,ଶାନ୍ତି ଓ ଉତ୍ତମ ବୁଝାମଣା ମଧ୍ୟରେ ବିକାଶ ଆଡ଼କୁ ଯାତ୍ରା କରିବାର ମନ୍ତ୍ର। ତେଣୁ ସ୍ଵାଧୀନତାର ମୂଲ୍ୟକୁ ଅକ୍ଷୁର୍ଣ୍ଣ ରଖି ଶାନ୍ତି ଓ ପ୍ରଗତି ବାଟକୁ ଆପଣେଇବାକୁ ଆହ୍ବାନ ଦେଇଛନ୍ତି ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସୋମବାର ଦିନ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡର ଅଭିବାଦନ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀବାସୀଙ୍କୁ ସ୍ଵାଧୀନତା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସମେତ ସମସ୍ତ ସହୀଦ ଓ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନେ ଦେଶ ପାଇଁ ଚିର ସ୍ମରଣୀୟ ବୋଲି କହିଥିଲେ। ବିଶ୍ବ ସଭ୍ୟତାର ବିକାଶ ଓ ପରିଚୟ କ୍ରମରେ ଭାରତ ବର୍ଷ ର ସଭ୍ୟତା ତା”ର ପ୍ରାଚୀନତା, ମୌଳିକତା, ସମନ୍ବୟବାଦିତା ନେଇ ସ୍ବତନ୍ତ୍ର ଅସ୍ତିତ୍ଵ ଓ ପରିଚୟ ଧରି ଉଭା ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା କ୍ଷେତ୍ର ପବିତ୍ର ପୁରୀ ନା କେବଳ ଆଧ୍ୟାତ୍ମିକ କ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ପ୍ରସିଦ୍ଧ ବରଂ ଏହାର ନାମ ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ ମଧ୍ୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ସହୀଦ ରାଜଗୁରୁଙ୍କ ବିରତ୍ଵ ଓ ଚାଖି ଖୁଣ୍ଟିଆଙ୍କ ସଂଗ୍ରାମୀ ବ୍ୟକ୍ତିତ୍ଵର ପଟାନ୍ତର ନାହିଁ। ଓଡିଶାର ସାଂସ୍କୃତିକ, ସାହିତ୍ୟିକ, ସାମାଜିକ, ରାଜନୈତିକ ଇତିହାସକୁ ପୁରୀ ଜିଲ୍ଲାର ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିବା ସହ ଭାରତର ବ୍ୟାପକ ଅଭିବୃଦ୍ଧି ସହ ତାଳ ଦେଇ ଓଡିଶା ରାଜ୍ୟ ବିକାଶ ଯାତ୍ରା ଅବ୍ୟାହତ ରଖିଛି। ରାଜ୍ୟ ସରକାର ରାଜ୍ୟବାସୀଙ୍କ ଜୀବନ ଧାରାକୁ ଉନ୍ନତ କରିବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କ୍ଷେତ୍ରରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ପରେ କୋଭିଡ ସମୟରେ ନିଃସ୍ଵାର୍ଥପର ସେବା ପାଇଁ କରୋନା ଯୋଦ୍ଧା ସମ୍ମାନାର୍ଥେ ଆରକ୍ଷୀ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ସମାଜ କଲ୍ୟାଣ ବିଭାଗ,ସଫେଇ କର୍ମଚାରୀ ପିଣ୍ଟୁ ଦିପ,ଚରଣ ନାଏକ, ସୁଚିତ୍ରା ନାଏକ ଓ କମଳା ନାଏକଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ଏବଂ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗୃହରକ୍ଷୀ ସୁଦାମ ଚରଣ ପଟ୍ଟନାୟକ ଓ ଗୌରୀ ବେହେରାଙ୍କୁ ପୋଲିସ ପଦକ ପ୍ରଦାନ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ପରେ ପରେ ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ପରିଷଦ ସଭାପତି ସ୍ବପ୍ନାରାଣୀ ସ୍ଵାଇଁ, ଭାରପ୍ରାପ୍ତ ଏସପି ମିହିର ପ୍ରସାଦ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଦିଲିପ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ପରିଷଦ ଉପସଭାପତି ସ୍ଵାଧୀନ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୈାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ବଡ଼ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜାତା ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତ୍ୟୁଷରୁ ସହର ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ରାମଧୂନ ପରିବେଷଣ କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଅନ୍ୟାନ୍ୟ ବିଭାଗରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.