ହରିଦ୍ୱାରରେ ମହାଶିବରାତ୍ରୀ : ଗଙ୍ଗାରେ ବୁଡ ପକାଇଲେ ୨୨ ଲକ୍ଷ ଶ୍ରଦ୍ଧାଳୁ

695

ହରିଦ୍ୱାର: ଆଜି ମହାଶିବରାତ୍ରୀର ପବିତ୍ର ଅବସରରେ ହରିଦ୍ୱାରରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ପ୍ରଥମ ଶାହୀ ସ୍ନାନ ହୋଇଛି । ଶାହୀ ସ୍ନାନ ଆରମ୍ଭରେ ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା,ଅଗ୍ନି ଆଖଡ଼ା, କିନ୍ନର ଆଖଡ଼ାର ପାଖାପାଖି ୨୨ ଲକ୍ଷ ଲୋକ ପୋଡି ବ୍ରହ୍ମକୁଣ୍ଡରେ ବୁଡ଼ ପକାଇଛନ୍ତି । ଏହାପରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ନିରଞ୍ଜନୀ ଆଖଡ଼ା ଓ ଆନନ୍ଦ ଆଖଡ଼ା ହର କି ପୋଡି ବ୍ରହ୍ମକୁଣ୍ଡରେ ସ୍ନାନ କରିଛନ୍ତି ।

ଏହାପରେ ପ୍ରାୟ ୪ଟା ସମୟରେ ମହାନିର୍ବାଣି ଆଖଡ଼ା ଓ ଅଟଳ ଆଖଡ଼ା ହର କି ପୋଡି ବ୍ରହ୍ମକୁଣ୍ଡରେ ସ୍ନାନ କରିଛନ୍ତି । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ମହାଶିବରାତ୍ରିର ଶୁଭକାମନା ଦେଇଛନ୍ତି । ନାଗା ବାବା ଓ ସାଧୁଙ୍କ ଶାହୀ ସ୍ନାନକୁ ଦୃଷ୍ଟିରେ ରଖି ସାଧାରଣ ଶ୍ରଦ୍ଧାଳୁଙ୍କୁ ସକାଳ ୭ଟା ପରେ ସ୍ନାନ ଅନୁମତି ଦିଆଯାଇଛି ।

ମହାକୁମ୍ଭ ପ୍ରଥମ ସ୍ନାନ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଥିଲା । ୭ଟା ପରେ ହର କି ପୋଡି ଅଞ୍ଚଳକୁ ଖାଲି କରାଯାଇଥିଲା । ଏହାପରେ ଘାଟ ସଫା କରାଯାଇଛି । ଏହି ସମୟରେ ଘାଟକୁ କାହାରିକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିଥିଲା । ମହାକୁମ୍ଭ ଶାହୀ ସ୍ନାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ଥାନ ସ୍ଥାନରେ ପୋଲିସ କର୍ମୀ ନିୟୋଜିତ ଅଛନ୍ତି । କୁମ୍ଭମେଳାର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମେଳା ଅଞ୍ଚଳକୁ ୩ ସୁପର ଜୋନ, ୯ ଜୋନ ଓ ୨୫ ସେକ୍ଟରରେ ବଣ୍ଟାଯାଇଛି ।

ପ୍ରତ୍ୟେକ ଜୋନରେ ଉଚ୍ଚ ପୋଲିସ ଅଧିକ୍ଷକ ଏବଂ ସେକ୍ଟରରେ ପୋଲିସ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ଗଡବଡ ନ ହୁଏ ସେଥିପାଇଁ ପୋଲିସ କର୍ମୀଙ୍କୁ ଖାସ ଟ୍ରେନିଂ ଦିଆଯାଇଛି । ସୂଚନା ଅନୁଯାୟୀ, ହରିଦ୍ୱାର କୁମ୍ଭରେ ମହାଶିବରାତ୍ରି ଅବସରରେ ଆଜି ଶାହୀ ସ୍ନାନକୁ ନେଇ ରାଜ୍ୟ ସରକାର ପୂର୍ବରୁ ଏସ୍ଓପି ଜାରି କରିଛନ୍ତି । ଏସ୍ଓପି ଅନୁଯାୟୀ, ଶାହୀ ସ୍ନାନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଉପଲବ୍ଧ ଓ ହେଲ୍ଥ ସାର୍ଟିଫିକେଟ୍ ଦେଖାଇବା ଜରୁରୀ ।

ଏହା ବିନା ହରିଦ୍ୱାରରେ ଏଣ୍ଟ୍ରି ମିଳିବନି । ରାଜ୍ୟ ସରକାରଙ୍କ ଏସ୍ଓପି ମାର୍ଚ୍ଚ ୧୨ ତାରିଖ ଯାଏଁ ଲାଗୁ ହେବ । ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ, ପର୍ଯ୍ୟଟକ ଭିଡ କରି ଭଜନ କୀର୍ତ୍ତନ କରିପାରିବେନି । କୌଣସି ଶ୍ରଦ୍ଧାଳୁ ନିୟମ ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ମହାମାରୀ ଆକ୍ଟ ଅନୁସାରେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ।

Leave A Reply

Your email address will not be published.