କରୋନା ଲକ୍ଷଣ ଥିଲେ ପୁରୀ ମନା,ରଥଯାତ୍ରା ପାଇଁ ମାସ୍କ ବାଧ୍ୟତାମୂଳକ

160

ପୁରୀ : ରାଜ୍ୟରେ ଦୈନିକ କୋଭିଡ୍‌ ସଂକ୍ରମଣ କ୍ରମାଗତ ଭାବେ ଉପର ମୁହାଁ ହୋଇ ରହିଛି । ଆଗକୁ ରଥଯାତ୍ରା ଆସୁଥିବାରୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇବର୍ଷ ପରେ କୋଭିଡ୍ କଟକଣାକୁ ବାଦ୍ ଦେଇ ରଥଯାତ୍ରା ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏପରିସ୍ଥଳେ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବା ସହିତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ଆଉ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରେ ପଜିଟିଭିଟି ହାର ୦.୩% ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇ ଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଡାକ୍ତରଖାନାରେ ଅମ୍ଳଜାନ୍ ଶଯ୍ୟା, ଆଇସିୟୁ, ଏଚଡିୟୁ ଶଯ୍ୟା ପ୍ରସ୍ତୁତ ରଖିବା ସହିତ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତରଖିବା
ପାଇଁ କୁହାଯାଇଛି । ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ । ରଥ ଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବଡ଼ଦାଣ୍ଡରେ ହେଲଥ୍ କ୍ୟାମ୍ପ ଖୋଲାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ । ଏହି ସମୟରେ ଅନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ସ୍ୱଚ୍ଛ ପାଣି ପିଇବା ସହ, ଭଲ ଖାଦ୍ୟ ଖାଇବାକୁ ଉପଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କେବଳ କୋଭିଡ ନୁହେଁ, ଏହି ସମୟରେ ଝାଡ଼ାବାନ୍ତି ପରି ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ସମସ୍ତେ ଯତ୍ନବାନ ରହିବା ଉଚିତ । ରଥଯାତ୍ରା ଦେଖିବା ପାଇଁ ଆସୁଥିବା ଲୋକେ ନିଶ୍ଚିତ ଭାବେ କୋଭିଡ୍ ନିୟମ ପାଳନ କରିବା ଜରୁରି । ମାସ୍କ ବ୍ୟବହାର କରିବା ସହିତ ଦୂରତା ରକ୍ଷା କରିବା ଜରୁରି । ଜ୍ୱର, କାଶ, ସର୍ଦ୍ଦି ଲକ୍ଷଣ ଥିଲେ ରଥଯାତ୍ରାକୁ ନ ଆସିବା ପାଇଁ ବାରଣ କରାଯାଇଛି । ସେହିପରି ପ୍ରବଳ ଗରମ ହେଉଥିବାରୁ ଅଂଶୁଘାତ ଭୟ ମଧ୍ୟ ରହିଛି । ଏଥିପ୍ରତି ସତର୍କତା ଅବଳମ୍ବନ କରିବା ସହ ଛୋଟ ପିଲା, ବୟସ୍କ ବ୍ୟକ୍ତି ଏବଂ ରୋଗୀଙ୍କୁ ଆସିବା ପାଇଁ ମଧ୍ୟ ବାରଣକରାଯାଇଛି । ମଝିରେ ମଝିରେ ଓଆରଏସ୍ କିମ୍ବା ପାଣି ପିଇବା ଜରୁରି । ବାହାରେ ଖାଦ୍ୟ ଖାଉଥିଲେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ରାତ୍ରି ଯାପନ କଲେ ମଶାରୀ ବ୍ୟବହାର କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପୁରୀରେ ଥିବା ସମୟରେ ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି । ବଡ଼ ଦାଣ୍ଡ ଏବଂ ଅନ୍ୟ ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ ଏବଂ ଆବଶ୍ୟକ ହେଲେ ସେଠାରେ ଚିକିତ୍ସିତ ହେବା ପାଇଁ ନିବେଦନ କରାଯାଇଛି । ରଥଯାତ୍ରା ନେଇ ପୁରୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ସୂଚନା ଦେଲେ ଡିଜିପି ସୁନୀଲ ବଂଶଲ । ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ପୁରୀରେ ୧୮୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅନୁରୋଧ କଲେ ଡିଜିପି । ସେହିପରି ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ବଡ଼ଦାଣ୍ଡକୁ ଯାଇ ଦେଖି ପାରିନଥିଲେ ରଥଯାତ୍ରା । ଏଥର ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦୟାରେ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ରଥଯାତ୍ରା ନେଇ ସବୁ ବିଭାଗର ବୈଠକ ନିଆଯାଇଛି । ସମସ୍ତେ ସଜାଗ ଅଛନ୍ତି । ଭଲ ଭାବେ କିପରି ରଥଯାତ୍ରା ହେବ, ମୁଖ୍ୟମନ୍ତ୍ରୀ ସେ ଦିଗରେ ଦୃଷ୍ଟି ଦେଉଛନ୍ତି ।

Leave A Reply

Your email address will not be published.