ସାଂସଦ ପ୍ରତିନିଧି, ଅଫିସର ଓ ସାମ୍ବାଦିକଙ୍କୁ ମାଓବାଦୀଙ୍କ ଚେତାବନୀ

154

କନ୍ଧମାଳ, ୩ ସେପ୍ଟେମ୍ବର – କନ୍ଧମାଳ ଜିଲ୍ଲାରେ ପୁଣି ଲାଗିଛି ମାଓବାଦୀଙ୍କ ହାତ ଲେଖା ପୋଷ୍ଟର। କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ଼ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର । ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ହରିଲୁଟ ଏବଂ ରାଜସ୍ବ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଭଳି ସଙ୍ଗୀନ ଅଭିଯୋଗ ସତ୍ବେ ଏମାନଙ୍କୁ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି । ଜ଼ିଲ୍ଲାରେ କିଛି ସାମ୍ବାଦିକ ଶାସକ ଦଳ ଓ଼ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି, ଆମେ ତାହାର ଖୁଲାସା କରିବୁ। ଭିଜିଲାନ୍ସ ବିଭାଗ ନ ଧରିଲେ ଆମେ ବସନ୍ତ ଭାଟଙ୍କ ପରି ହତ୍ୟା କରିବୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସିପିଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ଏହି ପୋଷ୍ଟର ଲଗାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ତେବେ ଏହି ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୁତ୍ତ ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଇ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ତାହା ତଦନ୍ତ ପରେ ଜଣାପଡିବ।

Leave A Reply

Your email address will not be published.