୨୫ ବର୍ଷରୁ ବଜରଙ୍ଗୀ ପତାକା ତିଆରି କରୁଛନ୍ତି ମୁସଲିମ ପରିବାର

207

ଡୁମାଣୀ ଟିଭି,୧୦/୪:ଝାଡଖଣ୍ଡର ଧନବାଦରେ ଜନଗହଳିପୂର୍ଣ୍ଣ ପୁରୁଣା ବଜାରରେ ରହିଛି ଏକ ଛୋଟ ଦୋକାନ। ବଜରଙ୍ଗୀ ପତାକାରେ ଭର୍ତ୍ତି ଉକ୍ତ ଦୋକାନ। ଦୋକାନର କାନ୍ଥର ଗୋଟିଏ ପଟେ ଝୁଲିଛି ଛୋଟ ତ୍ରିରଙ୍ଗା ପତାକା। ତା ପାର୍ଶ୍ଵରେ ରହିଛି ପିର ହଜରତ ଶେଖ ଅବଦୁଲ ଗଫାର ଏବଂ ତାଙ୍କ ମଜାର ଏ ସରିଫର ଫଟୋ। ଏହି ଦୋକାନ ସଲିମ ଅଖତର ଓରଫ ଲଡୁ ଭାଇଙ୍କର। ସେ ୨୫ ବର୍ଷ ଧରି ବଜରଙ୍ଗୀ ପତାକା ତିଆରି କରି ଆସୁଛନ୍ତି।
ଦୋକାନ ଭିତରେ ସିଲେଇ ମେସିନରେ ଲାଲ କପଡାକୁ ବଜରଙ୍ଗୀ ପତାକାର ଆକାର ଦେଉଥିବା ଲଡୁ ଭାଇ ଏବଂ ତାଙ୍କ ଦୋକାନ ଇଲାକାରେ ସାମାଜିକ ସଦଭାବନାର ଉଦାହରଣ ପାଲଟିଛି। ପୁରୁଣା ବଜାରରେ ବଜରଙ୍ଗୀ ପତାକାର ଅନେକ ଦୋକାନ ରହିଛି। ହେଲେ ତାଙ୍କ ହାତରୁ ନିର୍ମିତ ପତାକା ପୂରା ଅଞ୍ଚଳରେ ପ୍ରସିଦ୍ଧ। ତାଙ୍କ ଦୋକାନରେ ଦାମ କଟାକଟି ହୁଏ ନାହିଁ। ପ୍ରତିଟି ପତାକାରେ ଦାମ ଲେଖା ହୋଇଥାଏ। ଗ୍ରାହକ ମୂଲ୍ୟ ଦେଖି ବୁଝି ଯାଆନ୍ତି ଏବଂ ଲଡୁ ଭାଇଙ୍କ ହାତରେ ଉଚିତ୍ ଟଙ୍କା ଦେଇ ପତାକା ନେଇ ଯାଆନ୍ତି।

ପତାକା ତିଆରି କରୁ କରୁ ଲଡୁ ଭାଇ କୁହନ୍ତି, ଦାମ ଅନୁସାରେ ଅଧିକାଂଶ ଲୋକ ପଇସା ଦିଅନ୍ତି। କିଛି ଲୋକ କମ ପଇସା ଦିଅନ୍ତି। ସେଥିରେ ବି କାମ ଚଳିଯାଏ। ଏମିତିରେ ବି ଏହା ଉପରବାଲାଙ୍କ କାମ। ଯାହା ବି ସବୁ ତାଙ୍କ ଦୟାରୁ। ଏହି ଦୋକାନ ତାଙ୍କ ପିତାଙ୍କର ଥିଲା। ଆଉ ଏବେ ସେ ଦୋକାନକଥା ବୁଝୁଛନ୍ତି।
ଦେଶର ହିନ୍ଦୁ-ମୁସଲିମ ରାଜନୀତି ଉପରେ ଲଡୁ ଭାଇ କୁହନ୍ତି, ମୁଁ ପାଠ ପଢି ନାହିଁ। ରାଜନୀତି ବୁଝି ପାରେ ନାହିଁ। କେବଳ ଏତିକି ଜାଣିଛି ମୋ ବାପା ଏହି ଦୋକାନରେ କାମ କରୁଥିଲେ ଏବଂ ଏବେ ମୁଁ ଏଠାରେ କାମ କରୁଛି। ଏଠାରେ ହିନ୍ଦୁ, ମୁସଲମାନ, ଶିଖ ସବୁ ଧର୍ମର ଲୋକେ ରହୁଛନ୍ତି। ପିଲାଟି ବେଳରୁ ଆଜି ଯାଏଁ ଏଠାରେ ଧର୍ମକୁ ନେଇ କୌଣସି ବିବାଦ ହୋଇଥିବା ଦେଖି ନାହିଁ। ମୋ ଦୋକାନରୁ ହିନ୍ଦୁ ପରିବାରର ଲୋକେ ବଜରଙ୍ଗୀ ପତାକା କିଣିଥାନ୍ତି। ଆମ ଦୁଇ ସଂପ୍ରଦାୟ ମଧ୍ୟରେ କିଛି ପ୍ରଭେଦ ଥିବା କେବେ ଅନୁଭବ କରି ନାହିଁ।

ଲଡୁ ଭାଇ କୁହନ୍ତି, ରାମନବମୀର ପ୍ରଥମ ତିନି ମାସରେ ସେମାନେ ପ୍ରତିଦିନ ତିନି ଘଣ୍ଟା ବଜରଙ୍ଗୀ ପତାକା ତିଆରି କରନ୍ତି। ଏହି କାମରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସାହାଯ୍ୟ କରନ୍ତି। ପ୍ରତି ବର୍ଷ ଛୋଟ ବଡ ପ୍ରାୟ ୧୫୦୦ ପତାକା ତିଆରି କରୁ।

Leave A Reply

Your email address will not be published.